logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉତ୍ତରାଖଣ୍ଡରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣା: ଘଟଣା ସ୍ଥଳକୁ ଗଲେ ଫସି ରହିଥିବା ଜିଲ୍ଲାର ଶ୍ରମିକଙ୍କ ସମ୍ପର୍କୀୟ

ମୟୂରଭଞ୍ଜ/ବାରିପଦା: - ଉତ୍ତରାଖଣ୍ଡର ଉତ୍ତରକାଶୀ ଠାରେ ନିର୍ମାଣାଧିନ ଟନେଲ୍ ଭୁଶୁଡିବା ଯୋଗୁଁ ଟନେଲ ମଧ୍ୟରେ ୪୧ ଜଣ କାର୍ଯ୍ୟରତ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ଓଡିଶାର ଶ୍ରମିକ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ରହିଛନ୍ତି ୩ ଶ୍ରମିକ। ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଏବେ ଶେଷ ପର୍ଯ୍ୟାୟରେ। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଜିଲ୍ଲା ଶ୍ରମ ବିଭାଗ ଶ୍ରମିକ ମାନଙ୍କ ସମ୍ପର୍କୀୟ ମାନଙ୍କୁ ଘଟଣାସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୧୩ଦିନ ହେବ ଟନେଲ ମଧ୍ୟରେ ଫସି ରହିଥିବା ମୟୂରଭଞ୍ଜ ଜିଲ୍ଲାର ଶ୍ରମିକଙ୍କ ପରିବାର ଲୋକେ ଫୋନ ଯୋଗେ କଥା ହୋଇଥିଲେ ମଧ୍ୟ ଚିନ୍ତା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ତେଣୁ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ପଠାଇବାକୁ କରା ଯାଇଛି ସୁବ୍ୟବସ୍ଥା। ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ମୟୂରଭଞ୍ଜ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଫସି ରହିଥିବା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକଙ୍କ ସମ୍ପର୍କୀୟ ବିମଳ ନାଏକ ଏବଂ ବେଢାକୁଦର ଗ୍ରାମର ଧିରେନ ନାଏକଙ୍କ ସମ୍ପର୍କୀୟ ଚିତରଞ୍ଜନ ନାଏକଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଦୁଇ ଜଣ ସମ୍ପର୍କୀୟ ଭାଇଙ୍କୁ ବାରିପଦା ସ୍ଥିତ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଆଣି ତାଙ୍କ ସହିତ ଆଲୋଚନା କରା ଯାଇଛି। ପରେ ବିଭାଗୀୟ ଗାଡି ଦ୍ବାରା ଭୁବନେଶ୍ବର ଏବଂ ସେଠାରୁ ବିମାନ ଯୋଗେ ଉତରାଖଣ୍ଡ ର ଉତ୍ତରକାଶୀ ସ୍ଥିତ ଟନେଲ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ନିଆ ଯିବାର ବନ୍ଦୋବସ୍ତ କରା ଯାଇଛି। ଉଦ୍ଧାର ପାଇବା ପରେ ଶ୍ରମିକ ମାନେ ପ୍ରଥମେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପକୁ ସମ୍ପର୍କୀୟ ମାନେ ପ୍ରଶଂସା କରିବା ସହିତ ଉଦ୍ଧାର କାର୍ଯ୍ୟ ପରେ ଶ୍ରମିକମାନଙ୍କୁ ଆଣି ଘରେ ପହଂଚାଇବା ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ସିଲକ୍ୟାରାରୁ ଉତ୍ତରାଖଣ୍ଡ ଉତ୍ତରକାଶିର ଦଣ୍ଡଲ ଗାଁ କୁ ସଂଯୋଗ କରିବା ପାଇଁ ଏହି ସୁଡଙ୍ଗ ନିର୍ମାଣ କରାଯାଉଥିଲା। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହୁ ନିର୍ମାଣ କାର୍ଯ୍ୟ ଜାରି ଥିଲା। ପ୍ରାୟ ସାଢେ ଚାରି କିଲୋମିଟର ଲମ୍ବ ଟନେଲରୁ ନିର୍ମାଣାଧୀନ ଅବସ୍ଥାରେ ୧୫୦ ମିଟର ଲମ୍ବ ଅଂଶ ଭୁଶୁଡ଼ି ପଡିଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢାକୁଦର ଗ୍ରାମର ଧିରେନ ଓ ଯୋଗୀବନ୍ଧ ଗ୍ରାମର ବିଶ୍ବେଶ୍ୱର ନାଏକ ଏବଂ ତିରିଂ ଥାନା ଅନ୍ତର୍ଗତ କୁଲଦିଆ ବଡକେଡମ ଗ୍ରାମର ରାଜୁ ନାଏକ ଫସି ରହିଛନ୍ତି। ତେବେ ଟନେଲ ଭିତରେ ଫଶିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ରହିଥିବା ଜଣାପଡିଛି।

146
4550 views

Comment