logo

ବାତ୍ୟା ‘ରେମାଲ’ ଭୟ, ହାଇଆଲର୍ଟ : ବର୍ଷାରେ ଭୋଗରାଇରେ ନିର୍ବାଚନ ପ୍ରଚାର ଫିକା :

ବାତ୍ୟା ‘ରେମାଲ’ ଭୟ, ହାଇଆଲର୍ଟ :
ବର୍ଷାରେ ଭୋଗରାଇରେ ନିର୍ବାଚନ ପ୍ରଚାର ଫିକା :

ଭୋଗରାଇ,୨୬।୫(ଶିଶିର କୁମାର ପ୍ରଧାନ): ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଭୋଗରାଇ ଅଞ୍ଚଳରେ ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଭୟ ସଞ୍ଚାର କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗ ପାଣିପାଗ କାର୍ଯ୍ୟାଳୟର ସୂଚନାରୁ ଜଣାଯାଏ ବାତ୍ଯା ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଅଗ୍ରସର ହେଉଛି । ଏଭଳି ସ୍ଥିତିରେ ୨ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରିଛି। ଏହି ବାତ୍ୟା ଓଡିଶାକୁ ବିଶେଷ ପ୍ରଭାବିତ କରି ନ ପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ ଆକଳନ କରି କହୁଥିବା ବେଳେ ଓଡିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଝଟ୍‌କା ପବନ ବହିବା ଦେଖାଯାଇଛି । ବାତ୍ୟା ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗରଦୀପ ଅତିକ୍ରମ କରି ବାଂଲାଦେଶ ଖେପୁପଡାରେ କଚାଡି ହୋଇପଡିବା ସହିତ ଉତ୍ତର ପଶ୍ଚିମବଙ୍ଗକୁ ମୁହାଁଇବ ବୋଲି ଗଣମାଧ୍ୟମ ସୂଚନା ଦେଉଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗ ଜିଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ଚାନ୍ଦିପୁର ଓ ଗୋପାଳପୁର ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ପେଟୁଆ, ସାଗରଦୀପ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳ ଶନିବାର ମଧ୍ୟାହ୍ନରୁ ଆକାଶ ମେଘାଛନ୍ନ ଓ ବର୍ଷା ଆରମ୍ଭ ହୋଇଥିଲା। ଓଡିଶା ସୀମା ଆରପଟେ ଦୀଘାରେ ଏନ୍‌ଡିଆରଏଫ୍‌ ପକ୍ଷରୁ ସମୁଦ୍ର ତଟରେ ରଶି ବାନ୍ଧି ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। ଦୀଘା ଉପକୂଳରେ ପ୍ରଶାସନ ହାଇଆଲର୍ଟ ଜାରି କରିଥିବା ସହିତ ସତର୍କ ରହିଛି । ସମୁଦ୍ରର ଉତ୍ତାଳ ଢେଉ କୂଳଆଡକୁ ମାଡିଆସି ତଟ ସୁରକ୍ଷା ପଥର ବନ୍ଧରେ ମାଡ କରୁଛି l ମତ୍ସ୍ୟ ବିଭାଗ ପକ୍ଷରୁ ଗଭୀର ସମୁଦ୍ରରେ ମାଛମାରିବା ନିଷେଧ କରାଯାଇଥିଲେ ବି ଲୁଚି ଛପି ମାଛ ଧରିବାକୁ ଯାଉଥିବା ଟ୍ରଲର ଓ ଛୋଟ ଡ଼ଙ୍ଗା କୂଳକୁ ଫେରି ସୁରକ୍ଷା ସ୍ଥାନରେ ମତ୍ସଜୀବୀମାନେ ରଖିଛନ୍ତି l ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । 'ରେମାଲ' । ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଏବଂ ଝଟକା ପବନ ୧୩୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ସତର୍କ ରହିଛି ପ୍ରଶାସନ । ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି । ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଓଡ଼ିଶାର ଉଦୟପୁର ଓ ତାଳସରୀ ଖାଁ ଖାଁ ।
ଏପଟେ ଆସନ୍ତା ଜୁନ୍ ପ୍ରଥମ ଦିନରେ ଭୋଗରାଇ ନିର୍ବାଚନ ପାଇଁ ବର୍ଷାର ପ୍ରଭାବ ନିର୍ବାଚନ ପ୍ରଚାରରେ ବାଧକ ସାଜିଛି । ନାଁ ନେତୃବୃନ୍ଦ ଆଶିର୍ବାଦ ଶୋଭାଯାତ୍ରାରେ ଘର ବୁଲି ପାରୁଛନ୍ତି, ନା କେଉଁଠି ନିର୍ବାଚନୀ ସଭା, ବର୍ଷା ପାଇଁ ଲୋକେ ଘରୁ ବାହାରିବାକୁ ଅମଙ୍ଗ । ତଥାପି କାଁ ଭାଁ ପ୍ରଚାର ଗାଡି ଡ଼ାକବାଜିରେ ପ୍ରଚାର ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ବେନର ଓ ଜଳୀୟ ପତାକା ସବୁ ଛିଣ୍ଡି ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା କାଲି ବର୍ଷା ଛାଡ଼ିବା ପରେ ପରିସ୍ଥିତିର ସୁଧାରି ଆସିବ ବୋଲି ଆଶା କରାଯାଉଛି।

0
0 views