logo

ଉନବିଂଶ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ୩ୟ ସଂନ୍ଧ୍ୟାରେ "ମହାମହିମ" ଓ "ଭାଗ୍" ନାଟକ ମଞ୍ଚସ୍ଥ


ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ୩ୟ ସଂନ୍ଧ୍ୟାରେ "ମହାମହିମ" ଓ "ଭାଗ୍" ନାଟକ ମଞ୍ଚସ୍ଥ

ଦାମନଯୋଡି,୧୮/୦୪ (ମାନସ ରଞ୍ଜନ କର)
ଦାମନଯୋଡି ନାଲକୋ ଟାଉନସିପର ମୁକ୍ତାକାଶ ରଙ୍ଗମଞ୍ଚରେ ଉନବିଂଶ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାର ୩ୟ ସନ୍ଧ୍ୟାରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଛି।

ନାଟ୍ୟପ୍ରଭା,ବାଲେଶ୍ବରର କଳାକାରମାନେ ସୁଶାନ୍ତ କୁମାର ଦାସଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ "ମହାମହିମ" ମଞ୍ଚସ୍ଥ କରିଥିଲେ।ଏହି ନାଟକଟି ମହାନ ଗ୍ରନ୍ଥ ମହାଭାରତ ଉପରେ ଆଧାରିତ,ପିତାମହ ଭୀଷ୍ମଙ୍କ କର୍ତ୍ତବ୍ୟ ଓ ଧର୍ମର ଯଥାର୍ଥତା ଏଥିରେ ପ୍ରତିପାଦନ କରାଯାଇଛି।ନିଜ ପ୍ରତିଜ୍ଞା ପାଇଁ ପିତାମହ ଭୀଷ୍ମ ହସ୍ତିନାପୁର ସିଂହାସନର ସୁରକ୍ଷା କରିବାକୁ କିପରି ସାମୁହିକ ସତ୍ଯର ପଥ ଅବରୋଧ କରିଛନ୍ତି ତାହା ନାଟକର ପ୍ରତିପାଦିତ ହୋଇଛି।ପାଣ୍ଡବଙ୍କର କର୍ତ୍ତବ୍ୟକୁ ତ୍ବରାନ୍ବିତ କରିବାକୁ ଶ୍ରୀକୃଷ୍ଣ ପ୍ରରୋଚନା କରିଛନ୍ତି।ଅନ୍ୟ ଉପରେ ଭରସା ନକରି ନିଜ କାର୍ଯ୍ୟ ନିରନ୍ତର ଭାବରେ କରି ଚାଲିଲେ ଦିନେ ନା ଦିନେ ଲକ୍ଷ୍ୟ ହାସଲ ହୋଇପାରିବ।କୌଣସି ବରଦାନ,ଆଶୀର୍ବାଦ କେବେ ବି ଅଧର୍ମକୁ ବିଜୟୀ କରିପାରେନାହିଁ।କର୍ତ୍ତବ୍ୟ ଓ କର୍ମକୁ ଗୁରୁତ୍ବ ଦେବାକୁ ଏ ନାଟକ ମାଧ୍ୟମରେ ଆହ୍ୱାନ ଦିଆଯାଇଛି।

ସେହିପରି ପଣ୍ଡିତ ଲକ୍ଷ୍ମୀ ନାରାୟଣ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ ସନ୍ତୋଷ କୁମାର ମିଶ୍ରଙ୍କ ରଚନା ଓ ଦିଲ୍ଲୀପ ଦେବଙ୍କ ନିର୍ଦ୍ଦେଶନାରେ ଏକ ସମ୍ବଲପୁରୀ ନାଟକ "ଭାଗ୍" ମଞ୍ଚସ୍ଥ କରିଥିଲେ।
କେବଳ ଚାରୋଟି କାନ୍ଥ ଉପରେ ଛାତଥିବା ଗୋଟିଏ ଆକୃତିକୁ ଯଦି ଆମେ ଘର କହିବା ତାହା ଆମ ଅଜ୍ଞାନତାର ପରିଚୟ ହେବ।ସେହି ଚାରିକାନ୍ଥ ଭିତରେ ଯେତେବେଳ ଯାଏ ପରିବାରର ସଦସ୍ୟମାନେ ନିଜ ନିଜ ଭିତରେ ସ୍ନେହ,ଶ୍ରଦ୍ଧା,ପ୍ରେମ ଭଲପାଇବା ଓ ସଦ୍‌ଭାବନା ନଥାଏ ତାକୁ ଘରର ଆଖ୍ୟା ଦିଆଯାଇ ନପାରେ।ଅତୀତରେ ସ୍ନେହ,ଶ୍ରଦ୍ଧା ଓ ପ୍ରେମର ବନ୍ଧନରେ ବନ୍ଧା ଯୌଥ ପରିବାର ଦେଖୁଥିଲୁ।ହେଲେ ଯୁଗ ବଦଳିବା ସଙ୍ଗେ ସେସବୁ ଲୋପ ପାଇବା ସହ ଘରର ସଂଜ୍ଞା ମଧ୍ୟ ବଦଳି ଯାଇଛି।ଏକକ ପରିବାରର ସ୍ୱାଦକୁ ସମସ୍ତେ ଆଦରି ବସିଲେଣି।ବାପ-ପୁଅ,ଭାଇ-ଭାଇ,ଶାଶୁ-ବୋହୂ ମଧ୍ୟରେ ସମ୍ପର୍କ ଦୂରେଇ ବସିଲାଣି।ପିଲାମାନେ ନିଜର ଏକକ ପରିବାର ପ୍ରତି ସଯତ୍ନ ହେବା ସହ ବାପା-ମାଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି।ବୁଢା ବାପା-ମାଙ୍କୁ ସାଙ୍ଗରେ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି।ଏପରିକି ନିଜର ସ୍ୱାର୍ଥ ପାଇଁ ସେମାନଙ୍କୁ ବୃଦ୍ଧାଶ୍ରମ ପଠାଇବାକୁ ମଧ୍ୟ ପଛାଉ ନାହାଁନ୍ତି।ପୈତୃକ ସମ୍ପତ୍ତି ପାଇବା ଆଶାରେ ଅଦାଲତର ଆଶ୍ରୟ ନେଉଛନ୍ତି। ଯେଉଁ ଘର ଦିନେ ସ୍ୱର୍ଗ ଥିଲା ତାହା ଆଜି ନର୍କଗାମୀ ହୋଇଗଲାଣି।ନାଟକରେ ଦୁଇଭାଇଙ୍କ ମଧ୍ୟରେ ନିଜର ଜନ୍ମ କଲା ବୁଢ଼ୀ ମା ପାଇଁ କଳହ ଲାଗିଛି।ଶେଷରେ ନିରାଶ ହୋଇ ଅଦାଲତର ଆଶ୍ରୟ ନେଇଛନ୍ତି।ତଥାପି ଏମିତି ବି ପୁଅ ଅଛନ୍ତି ଯିଏ ପରିବାର ଓ ନିଜ ଜନ୍ମକଲା ମା ପ୍ରତି ସେବା ଭାବନା,ଅନାବିଳ ସ୍ନେହଭାବ ଦେବାକୁ ଚେଷ୍ଟା କରିଛି ସେଭଳି ଏକ କାହାଣୀ ଏହି ନାଟକକୁ ଋଦ୍ଧିମନ୍ତ କରିଛି।

ତୃତୀୟ ସନ୍ଧ୍ୟାରେ ନାଲକୋର ସମୂହ ମହାପ୍ରବନ୍ଧକ ଆଶିଷ ସେନାପତି ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲା ବେଳେ ନିର୍ମଳ ରାଉତ ଓ ଚିନ୍ମୟ ସାହୁ ମଞ୍ଚ ସଂଯୋଜନା କରିଥିଲେ।ନାଟ୍ୟ ମହୋତ୍ସବ କମିଟି ସଭାପତି ବିଚ୍ଛନ୍ଦ ଚରଣ ଦାଶ ଓ ସଦସ୍ୟମାନେ ପରିଚାଳନା କରିଥିଲେ।

ଫଟୋ - ନାଟକ ମହାମହିମ

14
4341 views