logo

କେନ୍ଦୁଝର ଜିଲ୍ଲା ବିଜେଡି ତରଫରୁ ବିପ୍ଳବୀ ଧରଣୀଧର ନାଏକଙ୍କ ୧୬୧ତମ ଜନ୍ମ ଜୟନ୍ତୀ ପାଳନ।

କେନ୍ଦୁଝର ବିଜୁ ଜନତା ଦଳ ତରଫରୁ ବିପ୍ଳବୀ ଧରଣୀଧରଙ୍କ ୧୬୧ତମ ଜୟନ୍ତୀ ପାଳନ।
--------------------------------------------------

କେନ୍ଦୁଝର ଗଡ଼, ୦୫/୦୫/୨୦୨୫, କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ) (୧୮୬୪-୧୯୧୪) ଙ୍କର ୧୬୧ତମ ଜନ୍ମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ କେନ୍ଦୁଝର ଗଡ଼ ମୁଖ୍ଯ କାରାଗାର ସନ୍ନିକଟ ରାସ୍ତା ପାର୍ଶ୍ୱ ଛକ ନିକଟରେ ଥିବା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବିଜୁ ଜନତା ଦଳ ତରଫରୁ ଜିଲ୍ଲାର ବରିଷ୍ଠ ନେତୃବର୍ଗ ଓ କର୍ମୀମାନେ ଉପସ୍ଥିତ ରହି ବିପ୍ଳବୀ ଧରଣୀଧରଙ୍କ ବିଷୟରେ ଆଲୋଚନା କରିଥିଲେ। ଦଳର ବରିଷ୍ଠ ନେତୃବର୍ଗ ମାନଙ୍କର ମତାମତ ସଂକ୍ଷିପ୍ତରେ ନିମ୍ନରେ ପ୍ରକାଶିତ କରାଯାଇଛି।

ଧରଣୀଧର ଓଡ଼ିଶାର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମେଳି ହୋଇଥିଲା, ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା ଭାରତବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟର ନାମକରଣ ହୋଇଛି ।

ଧରଣୀଧର ନାଏକ (ଭୂୟାଁ)ଙ୍କର ଜନ୍ମ ୫ ମଇ ୧୮୬୪ ମସିହାରେ
କୁସୁମିତା ଠାରେ ହୋଇଥିଲା, ବର୍ତ୍ତମାନ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମିତ ଗ୍ରାମ। ମୃତ୍ୟୁ ୧୬ ମଇ ୧୯୧୪ (ବୟସ ୫୦)ରେ ବିପ୍ଳବୀ ଧରଣୀଧର ଶେଷ ନିଶ୍ବାସ ତ୍ଯାଗ କରିଥିଲେ। ବିପ୍ଳବୀ ଧରଣୀଧରଙ୍କର ବିଶେଷ ପ୍ରସିଦ୍ଧି ହେଉଛି ସେତେବେଳେର କେନ୍ଦୁଝର ପ୍ରଜାମେଳି। ବିପ୍ଳବୀ ଧରଣୀଧର ୧୮୬୪ ମସିହା ମଇ ମାସ ୫ ତାରିଖରେ, କେନ୍ଦୁଝର ଜିଲ୍ଲାର ଆଦିବାସୀ ପଲ୍ଲୀ କୁସୁମିତାରେ ଏକ ପାହାଡ଼ି ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କର ପିତା ଥିଲେ ଶ୍ରୀ ଲଇଛଣ ନାୟକ ଏବଂ ମାତା ଥିଲେ ବାଇଗଣୀ ଦେବୀ । ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପଢାପଢିରେ ତାଙ୍କର ଖୁବ ଆଗ୍ରହ ଥିଲା । ସେଥିଯୋଗୁଁ, ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । ଶିକ୍ଷା ପ୍ରତି ତାଙ୍କର ଏ ଆଗ୍ରହ ଯୋଗୁଁ, କେନ୍ଦୁଝରର ସେ ସମୟର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ କଟକରେ ଜମିଜମା ସର୍ବେକ୍ଷଣ (ସର୍ଭେ) ପାଠ ପଢିବାକୁ ପଠାଇଥିଲେ । ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ, ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ (ସର୍ଭେ ଓଭରସିୟର) ଭାବେ ନିଯୁକ୍ତ କରିଥିଲେ ।

ଏହା ବ୍ୟତିତ ବିପ୍ଳବୀ ଧରଣୀଧର ସ୍ବାଧୀନତା ସଂଗ୍ରାମୀ ଭାବେ ଇଂରେଜ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଷଡଯନ୍ତ୍ର କରାଯାଇ ବିପ୍ଳବୀ ଧରଣୀଧରଙ୍କୁ କାରାବାସ ଭୋଗିବାକୁ ପଡିଥିଲା। କାରାଗାରରୁ ମୁକ୍ତ ହେବା ପରେ ପୁରୀରେ ଏକପ୍ରକାର ସନ୍ୟାସୀ ପରି ଜୀବନଯାପନ କରି ଆଶ୍ରମରେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜୀବନ ଅତିବାହିତ କରିଥିଲେ। ଶେଷ ନିଶ୍ବାସ ତ୍ଯାଗ କରିବା ବେଳକୁ ବିପ୍ଳବୀ ଧରଣୀଧରଙ୍କୁ ମାତ୍ର ପଚାଶ ବର୍ଷ ହୋଇଥିଲା। ଏହି ଜୀବନ କାଳରେ ବିପ୍ଳବୀ ଧରଣୀଧରଙ୍କ କୀର୍ତ୍ତି ଓ ଗୌରବ ରାଜ୍ଯ ତଥା କେନ୍ଦୁଝର ଜିଲ୍ଲା ପାଇଁ ଚିରକାଳ ପାଇଁ ଅମର କରି ରହିଛି।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

47
1222 views