logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟଶ୍ଲୋକ ଦେବୀ ଅହଲ୍ୟା ବାଈ - ନାରୀ ଶକ୍ତିର ଉତ୍ସ ରାଣୀ ଅହଲ୍ୟା ବାଇ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ - ନନ୍ଦିନୀ ଶତପଥୀ

ପୂଣ୍ୟଶ୍ଲୋକ ଦେବୀ ଅହଲ୍ୟା ବାଈ - ନାରୀ ଶକ୍ତିର ଉତ୍ସ

ଯା ଦେବୀ ସର୍ବ ଭୂତେସୁ ମାତୃ ରୁପେଣ ସଂସ୍ଥିତା ନମୋସ୍ତସୈ ନମୋସ୍ତସୈ ନମୋସ୍ତସୈ ନମୋ ନମାଃ
ଦେବ ଭୂମି, ପୂଣ୍ୟ ଭୂମି, ଧର୍ମ ଭୂମି ଭାରତ ବର୍ଷର ଧରା ପୃଷ୍ଠରେ ଅନେକ ବୀରାଙ୍ଗନା ଜନ୍ମ ନେଇଛନ୍ତି। ସେମାନଙ୍କର କୀର୍ତ୍ତି ଇତିହାସର ସ୍ୱର୍ଣାକ୍ଷର ରେ ଲିପବଦ୍ଧ ହୋଇଛି। ଉପରୋକ୍ତ ଶ୍ଲୋକନୁସାରେ ଯୁଗେ ଯୁଗେ ଭାରତରେ ମାତୃ ଶକ୍ତିର ବନ୍ଦନା କରାଯାଇଛି। ସେଥି ପାଇଁ ଭାରତ ମାତା ଆଜି ସର୍ବାଗ୍ରେ ବନ୍ଦନୀୟା। ଆମ ଭାରତର ପ୍ରତ୍ୟେକ ସମ୍ପ୍ରଦାୟର ପରିବାରରେ ନାରୀ ମାନେ ହିଁ ଗୃହର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ନାରୀ ମାନଙ୍କୁ ନାରାୟଣୀ ରୂପରେଖ ଦେଇ ବିଶ୍ଵ ଦରବାରରେ ଏକ ମହାନ ଉଦାହରଣ ସୃଷ୍ଟି କରିଥିବା ମହାନ ଦେଶ ହେଉଛି ଭାରତବର୍ଷ। ସେହି ଶ୍ରେଷ୍ଠତା କୁ ବଜାୟ ରଖିବା ନିମନ୍ତେ ସର୍ବଦା ଚେଷ୍ଟିତ ଆମର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଣୀ ଅହଲ୍ୟା ବାଈ ହୋଲକର ଙ୍କର ୩୦୦ ବର୍ଷ ଜନ୍ମ ଜୟନ୍ତୀ କୁ ସାରା ଦେଶ ବ୍ୟାପୀ ନାରୀ ଶକ୍ତିର ଉତ୍ସବ ଭାବରେ ପାଳନ କରୁଛନ୍ତି। ସେଇ ନାରୀ ଯିଏକି ଏକ ଛୋଟ ଗ୍ରାମୀଣ ବାଳିକାରୁ ରାଣୀର ଆସନ ଅଳଙ୍କୃତ କରିଥିଲେ ପୁଣି ଏପରି ଭାବରେ ଶାସନ କରିଥଲେ ଯେ ପରିଶେଷରେ ଦେବୀଙ୍କ ପରି ପୂଜା ପାଇ ଅମର ହୋଇ ରହି ଯାଇଥିଲେ।
ଦେବି ଅହଲ୍ୟା ବାଈ ହୋଲକରଙ୍କ ଜନ୍ମ :

ଦେବୀ ଅହଲ୍ୟା ବାଈ ହୋଲକର ଙ୍କ ଜନ୍ମ ୩୧ ମଇ ୧୭୨୫ ମସିହାରେ ମହାରାଷ୍ଟ୍ର ରାଜ୍ୟର ଚୌତି ନାମକ ଗ୍ରାମରେ ହୋଇଥିଲା। ସେ ଜଣେ ସାଧାରଣ କୃଷକଙ୍କ ର ଝିଅ ଥିଲେ। ତାଙ୍କର ବାପା ମାକନୋଜୀ ଶିନ୍ଧେ ଜଣେ ସାଧାରଣ କୃଷକ ଥିଲେ। ସେ ତାଙ୍କ ବାପାଙ୍କ ଏକ ମାତ୍ର କନ୍ୟା ସନ୍ତାନ ଥିଲେ। ଅହଲ୍ୟା ବାଈ ପିଲାଦିନେ ଜଣେ ସାଧାରଣ ଗ୍ରାମୀଣ କନ୍ୟା ରୂପରେ ଜୀବନ ଯାପନ କରୁଥିଲେ। ବାଲ୍ୟ ସମୟରେ ସେ ପ୍ରତିଦିନ ପ୍ରଭୁ ଶିବଙ୍କର ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ।

ଦେବୀ ଅହଲ୍ୟା ବାଈ ହୋଲକର ଙ୍କ ଜୀବନ ପରିଚୟ:
ହୋଲକର ବଂଶର ମହ୍ଲାରରାଓ ହୋଲକରଙ୍କ ପୁତ୍ର ଖଣ୍ଡେରାଓ ଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ନିଜର କର୍ତ୍ତବ୍ୟ ନିଷ୍ଠା ଯୋଗୁ ସେ ତାଙ୍କର ଶ୍ଵଶୁର, ସ୍ବାମୀ ତଥା ଅନ୍ୟ ସମସ୍ତ ସମ୍ପର୍କୀୟ ମାନଙ୍କର ହୃଦୟ ଜିତି ଥିଲେ। ଗୋଟିଏ ପୁତ୍ର ଏବଂ ଗୋଟିଏ ପୁତ୍ରି ର ମାତା ମଧ୍ୟ ସେ ହୋଇଥିଲେ। ଯୌବନ ଅବସ୍ଥାରେ ୨୯ ବର୍ଷ ଆୟୁରେ ତାଙ୍କର ସ୍ବାମୀ ଙ୍କର ଦେହାନ୍ତ ହୋଇଯାଇଥିଲା।୧୭୬୬ ରେ ଶ୍ଵଶୁର ମାହ୍ଲାରରାଓ ମଧ୍ୟ ଦେହ ତ୍ୟାଗ କରିଥିଲେ। ଶ୍ଵଶୁରଙ୍କ ପରେ ଶାସନର ସମସ୍ତ କାର୍ଯ୍ୟ ତାଙ୍କୁ ସମ୍ଭାଳିବା ପାଇଁ ପଡିଥିଲା। ଅସମୟରେ ତାଙ୍କର ଏକ ମାତ୍ର ପୁତ୍ର ମାଲେ ରାଓ , ଜ୍ବାଇଁ ପଂରାସେ, ଝିଅ ମୁକ୍ତା ର ମଧ୍ୟ ଦେହାନ୍ତ ହୋଇଯାଇଥିଲା। ଏହି ସବୁ ଦୁର୍ଦ୍ଦିନ ଦେଖି ମଧ୍ୟ ସେ ବିଚଳିତ ନହୋଇ ନିଜ ଜୀବନକୁ ପ୍ରଜା ମାନଙ୍କ ହିତ ସାଧନ ନିମନ୍ତେ ଉତ୍ସର୍ଗ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ।

ଦେବୀ ଅହଲ୍ୟା ବାଈ ଙ୍କର ଜନ କଲ୍ୟାଣକାରୀ କାର୍ଯ୍ୟ :
ଅହଲ୍ୟା ବାଈ ସଦା ସର୍ବଦା ଜନ କଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖୁଥିଲେ। ସେ ନର୍ମଦା ନଦୀ ତଟରେ ସ୍ଥିତ ପ୍ରାଚୀନ ଐତିହାସକ ନଗର ମହେଶ୍ୱର କୁ ନିଜର ରାଜଧାନୀ କରିଥଲେ। ଦେଶ ସାରାର ବୁଣାକାର ମାନଙ୍କୁ ମହେଶ୍ୱର ଠାରେ ବ୍ୟବସାୟ କରିବା ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ। ମହେଶ୍ୱରକୁ ଶାଢ଼ୀ ନିମନ୍ତେ ଏକ ନୂଆ ପରିଚୟ ଦେଇଥିଲେ। ଦେବୀ ଅହଲ୍ୟାବାଈ ଦେଶ ସାରାର ଶିଳ୍ପକାର ମାନଙ୍କୁ ଏକତ୍ରିତ କରି ଦେଶର ତୀର୍ଥ ସ୍ଥାନ ମାନଙ୍କରେ ଥିବା ମନ୍ଦିର ମାନଙ୍କର ମରାମତି କାମରେ ନିଯୁକ୍ତ କରିଥଲେ। ମନ୍ଦିର ମାନଙ୍କର ରକ୍ଷଣବେକ୍ଷଣ ମଧ୍ୟ କରିଥିଲେ। ନଦୀ ମାନଙ୍କରେ ଘାଟ ନିର୍ମାଣ କରିଥିଲେ। ଅନେକ ସ୍ଥାନରେ ଦେଶସାରା ଧର୍ମଶାଳାମାନ ନିର୍ମାଣ କରାଇଥିଲେ। ସେ ସବୁବେଳେ କହୁଥିଲେ ମୋ ଜୀବନରେ କେବେ ନିର୍ମାଣ କାର୍ଯ୍ୟ ବନ୍ଦ ହେବ ନାହିଁ। ଏହି କାରଣ ହେତୁ ଆଜି ଆମେ ଦେବୀ ଅହଲ୍ୟା ବାଈ ଙ୍କ ଦ୍ଵାରା କରାଯାଇଥିବା ନିର୍ମାଣ କାର୍ଯ୍ୟ ବଦ୍ରିନାଥ, କେଦାରନାଥ ଠାରୁ ନେଇ ରାମେଶ୍ଵରମ ପର୍ଯ୍ୟନ୍ତ ତଥା ସୋମନାଥ ଠାରୁ ନେ଼ଇ ଗଙ୍ଗା ସାଗର ପର୍ଯ୍ୟନ୍ତ ପ୍ରତ୍ୟେକ ତୀର୍ଥ କ୍ଷେତ୍ର ଦର୍ଶନ କରିପାରୁଛନ୍ତି। ତାଙ୍କର ନିର୍ମାଣ କାର୍ଯ୍ୟର ବିଶେଷତା ଏହା ଥିଲାକି ସେ ସମସ୍ତ ଖର୍ଚ୍ଚ ସରକାରୀ କୋଷରୁ ନକରି ନିଜର ବ୍ୟକ୍ତିଗତ ସମ୍ପତ୍ତିରୁ କରୁଥିଲେ।

ଦେବୀ ଅହଲ୍ୟାବାଈ ଙ୍କର ନ୍ୟାୟ ପ୍ରିୟତାର ସୁ ପରିଚୟ:

ତାଙ୍କର ନ୍ୟାୟ ପ୍ରିୟତାର ଖ୍ୟାତି ସାରା ଦେଶରେ ସୁପ୍ରସିଦ୍ଧ ଥିଲା। ଦେଶର ବିଭିନ୍ନ ରାଜ୍ୟର ରାଜାମାନେ ନିଜ ନିଜ ଭିତରେ ଥିବା ବିବାଦର ସମାଧାନ ନିମନ୍ତେ ତାଙ୍କ ପାଖକୁ ଆସୁଥିଲେ ଏବଂ ସେଠାରୁ ସମାଧାନ ନେଇ ପୁଣି ନିଜ ନିଜ ରାଜ୍ୟକୁ ଫେରି ଯାଉଥିଲେ। ବନବାସୀ, କୃଷକ, ବ୍ୟାପାରୀ ତଥା ସରକାରୀ କର୍ମଚାରୀମାନଙ୍କର ସମସ୍ୟା ପ୍ରତି ତାଙ୍କର ବିଶେଷ ଦୃଷ୍ଟି ରହୁଥିଲା। ସେ ତାଙ୍କର ରାଜ୍ୟକୁ ଭଗବାନ ଶିବ ଙ୍କୁ ସମର୍ପଣ କରିଦେଇଥିଲେ। ସେ ଶିବଙ୍କର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ରାଜ କାର୍ଯ୍ୟ କରିବା ସମୟରେ ସେ ସଦାସର୍ବଦା ଶିବ ଲିଙ୍ଗ କୁ ନିଜ ହାତରେ ଧାରଣ କରୁଥିଲେ। ତାଙ୍କର ଆଦର୍ଶ ଶାସନ ତଥା ଜନହିତକାରୀ ନୀତି ନିମନ୍ତେ ପ୍ରଜା ମାନେ ତାଙ୍କ ଜୀବନ କାଳରେ ହିଁ ତାଙ୍କୁ ଦେବୀ ବୋଲି ମାନିବା ପାଇଁ ବାଧ୍ୟ ହୋଇଥିଲେ।୧୩ ଅଗଷ୍ଟ ୧୭୯୫ ରେ ମହେଶ୍ୱର ରେ ୭୦ ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଜାଙ୍କ ସୁଖରେ ନିଜ ସୁଖକୁ ଦେଖିଥିବା ମହାନ ଦେବୀ ରାଣୀ ଅହଲ୍ୟା ବାଈ ହୋଲକରଙ୍କ ର ମୃତ୍ୟୁ ହୋଇ ମଧ୍ୟ ସେ ଚିର କାଳ ପାଇଁ ଜନ ମାନସରେ ଅମର ହୋଇ ରହିଛନ୍ତି ଓ ରହିଥିବେ।

ଲେଖିକା - ନନ୍ଦିନୀ ଶତପଥୀ
ରାଜ୍ୟ ସମ୍ପାଦିକା, ମହିଳା ମୋର୍ଚ୍ଚା,
ଭରତୀୟ ଜନତା ପାର୍ଟୀ

126
7739 views

Comment