logo

ଦାମନଯୋଡ଼ିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

ଦାମନଯୋଡ଼ି,୨୭/୦୬:ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଦାମନଯୋଡ଼ିର ନାଲକୋ ଟାଉନସିପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ସେକ୍ଟର-୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳେ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ରଥ ପ୍ରତିଷ୍ଠା ହୋଇଥିଲା।ମହାପ୍ରଭୁଙ୍କ ପାଖରେ ଖେଚୁଡ଼ି ଭୋଗ ଲାଗି ଓ ପରେ ଧାଡ଼ିପହଣ୍ଡି କରି ଶ୍ରୀସୁଦର୍ଶନ,ବଡ଼ଭାଇ ଶ୍ରୀବଳଭଦ୍ର,ଭଉଣୀ ଦେବୀ ସୁଭଦ୍ରା ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ମନ୍ଦିର ପାହାଡ ତଳେ ଅପେକ୍ଷାରତ ରଥରେ ରଥାରୂଢ଼ କରାଯାଇଥିଲା।ଘଣ୍ଟ,ଘଣ୍ଟା,ସଙ୍କୀର୍ତ୍ତନ,ଛତ୍ରି,ଆଲଟ,ଚାମର,ହରିବୋଲ,ହୁଳହୁଳି ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀ ଜୀଉ ମାନଙ୍କର ପହଣ୍ଡି କରିଥିଲେ।ପୂଜକ ରାମକୃଷ୍ଣ ମିଶ୍ର,ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ,ଅଭିମନ୍ୟୁ ପଣ୍ଡା,ନୀଳାଚଳ ମହାପାତ୍ର,ବଳରାମ ରଥ, ସନ୍ତୋଷ କୁମାର ପଣ୍ଡା,ନକୁଳ ଚରଣ ପତି ଓ ସୁଶାନ୍ତ କୁମାର ଦାଶ ପୂଜାନୀତି କରିଥିଲେ।ପରମ୍ପରା ଅନୁଯାୟୀ ନାଲକୋ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ରାଜାଙ୍କ ବେଶରେ ରଥ ଉପରେ ଛେରାପହଁରା କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିରର ମୁଖପତ୍ର 'ମହାପ୍ରସାଦ' ଉନ୍ମୋଚିତ ହୋଇଥିଲା।ଇଡି ଶ୍ରୀ ସାମଲଙ୍କ ସହିତ,ନାଲକୋର ବିଭିନ୍ନ ବିଭାଗର ସମୂହ ମହାପ୍ରବନ୍ଧକ ଓ ବରିଷ୍ଠ ଅଧିକାରୀ,ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପସଭାପତି ବିଛନ୍ଦ ଚରଣ ଦାଶ,ସମ୍ପାଦକ କୈଳାସ ସେନାପତି,କୋଷାଧକ୍ଷ ପି କେ ମହାରଣା,ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀଙ୍କ ସହିତ ପତ୍ରିକା ମୁଖ୍ୟ ସମ୍ପାଦକ ଡ଼ଃ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଡାହୁକ ସ୍ଵସ୍ତିନ ମହାନ୍ତି,ଘଣ୍ଟୁଆ ଅମର ଦାସ ଓ ସେବାୟତ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।ଶ୍ରଦ୍ଧାଳୁ କନ୍ୟା ମାନେ ମହାପ୍ରଭୂଙ୍କ ଆଗରେ ଦେବଦାସୀ ଓ ଓଡିଶୀ ନୃତ୍ୟ କରିଥିଲେ।ଏହାପରେ ହରିବୋଲ ହୁଳହୁଳି,ଘଣ୍ଟ,ଘଣ୍ଟା,ଡାହୁକର ବୋଲି,ଧାରାବିବରଣୀ ମଧ୍ୟରେ ଶ୍ରଦ୍ଧାଳୁ ମାନେ ରଥକୁ ସେକ୍ଟର ୨ ବାଟ ଦେଇ ସେକ୍ଟର ୩ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ।ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ରଥ ଟାଣୁଥିବା ଦେଖା ଯାଇଥିଲା।ବାଟରେ ସହସ୍ରାଧିକ ଶ୍ରଦ୍ଧାଳୁ ମହାପ୍ରଭୂଙ୍କ ଦର୍ଶନ ସହିତ ଭୋଗଲାଗି କରିଥିଲେ।ସନ୍ଧ୍ୟାରେ ରଥ ସେକ୍ଟର ୩ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।ମନ୍ଦିର କମିଟିର ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ଦାମନଯୋଡ଼ି ଆଦର୍ଶ ଥାନା ଅଧିକାରୀ ପ୍ରମିଳା ବିଡ଼ିକାଙ୍କ ନେତୃତ୍ଵରେ ପୋଲିସ,ସିଆଇଏସଏଫ ଅଧିକାରୀ ଓ ଯବାନଙ୍କ ସହିତ ଟାଉନସିପର ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।

53
1474 views