logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା, ଜିଲ୍ଲା ଖଣିଜ ପ୍ରତିଷ୍ଠା ସଂଗ୍ରହରେ ୩୧,୩୨୪ କୋଟି ଟଙ୍କା, ତନ୍ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୧୩,୧୫୪.୬୭ କୋଟି, ଜିଲ୍ଲା ବିକାଶ ଶୂନ୍ୟ

*ଓଡ଼ିଶା, ଜିଲ୍ଲା ଖଣିଜ ପ୍ରତିଷ୍ଠା ସଂଗ୍ରହରେ ୩୧,୩୨୪ କୋଟି ଟଙ୍କା, ତନ୍ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୧୩,୧୫୪.୬୭ କୋଟି, ଜିଲ୍ଲା ବିକାଶ ଶୂନ୍ୟ*

କେନ୍ଦୁଝରଗଡ଼ (ସତ୍ୟ ନାରାୟଣ ବାରିକ): ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରା ଯାଇଥିଲା। ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ୩୧ ,୩୨୪ କୋଟି ଟଙ୍କା ସଂଗ୍ରହ କରି ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୫ଟି ରାଜ୍ୟ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି । ତନ୍ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୧୩,୧୫୪.୬୭ କୋଟି ଡ଼ି.ଏମ.ଏଫ. ଜରିଆରେ ଆଦାୟ ହୋଇଛି। ଦେଶରେ ଡ଼ି.ଏମ.ଏଫ. ଆଦାୟରେ ପ୍ରଥମ ଜିଲ୍ଲା ହେଉଛି କେନ୍ଦୁଝର, କିନ୍ତୁ ଜିଲ୍ଲାରେ ବିକାଶ ଶୂନ୍ୟ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଦର ବ୍ଲକ ତଥା ଜିଲ୍ଲା ସାରା ଅତ୍ୟାଧିକ ବର୍ଷା ହେବା ଫଳରେ କେଉଁଠି ରାସ୍ତା ଭାସି ଯାଇଛି, କେଉଁଠି ନାଳ ଭାଙ୍ଗିଯାଇଛି। ଦୀର୍ଘ ଦିନ ହେବ ସହର ସହ ଗାଁ ମାନଙ୍କରେ ମଧ୍ୟ ରାସ୍ତା ଗୁଡ଼ିକ ତିଆରି ହୋଇ ପାରୁ ନାହିଁ। ଜିଲ୍ଲାର ରାଜନୀତି ଦଳ ଗୁଡ଼ିକ କାଦୁଅ ଫିଙ୍ଗାଫିଙ୍ଗି ବ୍ୟସ୍ତ ବିବ୍ରତ ଥିଲା ବେଳେ, ଅଫିସ ଗୁଡ଼ିକରେ ରାସ୍ତା ପାଇଁ ଟେଣ୍ଡର ମଧ୍ୟ ଦେଖିବାକୁ ମିଳୁନାହିଁ। କେନ୍ଦୁଝର ଜିଲ୍ଲାର ସହର ଗୁଡ଼ିକରେ କଲୋନୀ ମାନଙ୍କରେ ସାମାନ୍ୟ ବର୍ଷା ହେଲା ମାତ୍ରେ ପାଣି ରାସ୍ତାରେ ଚାଲୁଥିଲା ବେଳେ, ଲୋକ ପ୍ରତିନିଧି ମାନଙ୍କୁ ସେ ବାବଦରେ ପଚାରିଲେ, ଦେଖିବା କହି ଆଉ ତା ପରେ କାହାରି ଖୋଜଖବର ମଧ୍ୟ ମିଳୁ ନାହିଁ। ସରକାରୀ ଅଫିସ ତଥା କେତେକ ବିଭାଗ ସୋସିଆଲ ମିଡ଼ିଆରେ ନଗନ୍ୟ ମାତ୍ର ଡ଼ି.ଏମ.ଏଫ. ଜରିଆରେ ବିକାଶ ହୋଇଥିବା ଦେଖାଇ ଦେବା ସହ ଗାଁ ଗୁଡ଼ିକରେ ଶୁଦ୍ଧ ପାନୀୟ ଜଳର ଉତ୍ସ କିପରି ହେବ ସେ ଦିଗରେ ତତ୍ପର ନହେବା ଭଳି ଦେଖା ଯାଉଛି। କେନ୍ଦୁଝର ଲୋକେ ଭୋଟ ଦେଇ ସରକାର ପ୍ରତି ସମର୍ଥନ ଦେଇଥିଲେ, ହେଲେ ବି କାନପୁର ଡ୍ୟାମର କାମ ବର୍ଷା ଯୋଗୁଁ ଅଧ ପନ୍ତରିଆ ଭାବେ ରହିଗଲା। କେନ୍ଦୁଝର ଜିଲ୍ଲା ଲୁହା ତଥା ଖଣିଜ ପଥର ଉତ୍ପାଦନ କ୍ଷେତ୍ରରେ ଦେଶରେ ଅଗ୍ରଣୀ ଜିଲ୍ଲା ହୋଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଇସ୍ପାତ ଶିଳ୍ପ କାରଖାନା ମଧ୍ୟ ନାହିଁ। ଫଳକ ତଥା ବ୍ୟାନର ରାଜନୀତିରେ ସୀମିତ ହୋଇଯାଇଛି କେନ୍ଦୁଝର ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ର, ଧରଣୀଧର ମେଡ଼ିକାଲ କଲେଜ ଅଳ୍ପ କେତେ ବିଭାଗ ଚାଲୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ, ଉନ୍ନତ ଧରଣର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେସିନ ସହ ଟ୍ରମା କେୟାର ସେଣ୍ଟର ଜିଲ୍ଲାରେ କୋମାରେ ପଡ଼ିଥିବା ଦେଖା ଯାଇଛି। ବୁଦ୍ଧିଜୀବି ସମାଜସେବୀ ମହଲ ଜିଲ୍ଲାର ବିକାଶ ପାଇଁ ଦାବୀ କରିଥିଲେ ମଧ୍ୟ, ଜନତା ପର୍ଯ୍ୟନ୍ତ ଜିଲ୍ଲା ବିକାଶର ଲଢ଼େଇ ଯାଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସବୁ ଯୋଜନା ଏକୁଟିଆ ହାତକୁ ନେଇ କରୁଥିବା ବେଳେ, ରାଜ୍ୟ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ସାଜି ଘୁଙ୍ଗୁଡ଼ି ନିଦ ଜରିଆରେ ଜିଲ୍ଲାର ବିକାଶ ପ୍ରତି ଆଖି ମୁଜି ଦେଇଥିବା ପରି ମନେ ହେଉଛି।ଡ଼ି.ଏମ୍.ଏଫ୍. ଜରିଆରେ ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲାର ବିକାଶ ଦିଗ କଛପ ଗତିରେ ଚାଲୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି।

110
3811 views

Comment