
କେନ୍ଦୁଝରର ସ୍ବାଭିମାନ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରହୁ।
କେନ୍ଦୁଝରର ସ୍ବାଭିମାନ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରହୁ ।
ମହାଶୟ/ ମହାଶୟା,
ଆଜିର ଏହି ନିବେଦନ ପଶ୍ଚାତରେ କୌଣସି ବ୍ୟକ୍ତିଗତ ସ୍ବାର୍ଥ ବା ରାଜନୈତିକ ଅଭିସନ୍ଧି ନାହିଁ । କେନ୍ଦୁଝର ମାଟିର ମାନସମ୍ମାନ ଗର୍ବଗୌରବ, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇବା ସକାଶେ ଏହା ସମୟର ଆହ୍ବାନ । କେନ୍ଦୁଝର ମାଟିର ଏହି ଅସ୍ମିତାର ପ୍ରତୀକ, ଶିକ୍ଷା, ସଂସ୍କୃତି, କଳା ସାହିତ୍ଯର ଆଧାର ହେଉଛି ଏହି ସର୍ବ ପୁରାତନ କଲେଜର ଇତିହାସ କାଳ ଗର୍ଭରେ ଲୁଚିଯିବ । ୧୯୫୭ ମସିହାର କୌଣସି ଏକ ଶୁଭ ଲଗ୍ନରେ କେନ୍ଦୁଝର ବିଜ୍ଞାନ କଲେଜ ମହନୀୟ ଜିଲ୍ଳାପାଳ ଶ୍ରୀ ଭେଙ୍କଟରମଣ ଙ୍କ ଯୁଗାନ୍ତକାରୀ ଉଦ୍ୟମ ଓ ଖଣିମାଲିକ ଜନାବ ସିରାଜଭଦ୍ଦିନଙ୍କ ଅକୁଣ୍ଠ ଦାନ ତଥା ସ୍ଥାନୀୟ ଅଧିବାସୀ ମାନଙ୍କର ଅଯାଚିତ ବିସ୍ତୀର୍ଣ୍ଣ ଭୂମିଦାନ ଫଳରେ ଅନ୍ଧାରୀ ମୂଲକ କେନ୍ଦୁଝର ଜିଲ୍ଲାରେ ଏକ ବ୍ୟୟ ବହୂଳ ଉନ୍ନତ ମାନର Science private college ଜନ୍ମ ନେଲା । ସେ ସମୟରେ ଏହା ଏକ ଅଦ୍ଭୂତପୂର୍ବ ଉଦ୍ୟମ ଥିଲା । ଫଳରେ ଏହା ଦରିଦ୍ର ଓ ମଧ୍ଯବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷାପ୍ରାପ୍ତି ସମ୍ଭବ କଲା ଏବଂ ସେମାନେ ଖୁବ୍ ଉଚ୍ଚ ପଦାଧିକାରୀ ହୋଇ କେନ୍ଦୁଝରର ନାମ ବଢାଇ ପାରିଲେ । ଏହି ବିପ୍ଲବୀ ଧରଣୀଧରଙ୍କ ନାମରେ ଗଢି ଉଠିଥିବା ଏକମାତ୍ର ସହଶିକ୍ଷାନୁଷ୍ଠାନଟି ସମାଧିସ୍ଥ ହେବାକୁ ଯାଉଛି । ଏହାର ପଶ୍ଚାତରେ ଏକମାତ୍ର କାରଣ ହେଉଛି ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଧି ଉପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା । ତତ୍କାଳୀନ ସରକାରଙ୍କର ୨୦୨୩ ମସିହା ଫେବୃଆରୀ ୧୯ ତାରିଖର ବିଜ୍ଞପ୍ତିଟି କେନ୍ଦୁଝର ବାସୀଙ୍କର ଆଶା ଓ ଭବିଷ୍ୟତକୁ ମାଟିରେ ମିଶାଇ ଦେଇଛି । ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ । ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ବକୁ ବଜାୟ ରଖିବାକୁ ପଡ଼ିବ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ନଦେଇ ମହା ବିଦ୍ୟାଳୟର ସୁରକ୍ଷା ନିମନ୍ତେ ଜାଗିବାକୁ ହେବ । ଅନେକଙ୍କ ମତରେ ପ୍ରଶ୍ନଉଠେ ଯେ ମହାବିଦ୍ୟାଳୟ ଠାରୁ ବିଶ୍ଵ ବିଦ୍ୟାଳୟ ଏକ ଉଚ୍ଚତର ଶିକ୍ଷାନୁଷ୍ଠାନ। ତେବେ ବିଶ୍ବବିଦ୍ୟାଳୟକୁ ମହାବିଦ୍ୟାଳୟ ଠାରୁ ପୃଥକ କରିବା ପଶ୍ଚାତରେ କି ଯୁକ୍ତି ରହିଛି ? ସକଳ ସଂଶୟକୁ ଦୂର କରିବା ନିମନ୍ତେ ନିମ୍ନଲିଖିତ ତଥ୍ୟ ପ୍ରମାଣ ଗୁଡ଼ିକ ପ୍ରଣିଧାନ ଯୋଗ୍ୟ ।
୧. କେନ୍ଦୁଝରରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା କେନ୍ଦୁଝର ବାସୀଙ୍କର ଦାବି ଥଲା । କିନ୍ତୁ ଜିଲ୍ଲାର ଏକମାତ୍ର ସହଶିକ୍ଷା ପ୍ରଦାନ କରୁଥୁବା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅସ୍ତିତ୍ଵକୁ ନିଶ୍ଚିହ୍ନ କରି ତା' ସ୍ଥାନରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ଯୁକ୍ତିଯୁକ୍ତ ନୁହେଁ। ଜିଲ୍ଲାକୁ ସରକାରୀ ମହାବିଦ୍ୟାଳୟ ଶୂନ୍ୟ କରିବା ଠିକ୍ ନୁହେଁ।
୨. ବାଲେଶ୍ଵର ଓ ବାରିପଦା ଠାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଥାଇ ସ୍ବତନ୍ତ୍ର ଭାବେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏଠାରେ ସରକାରଙ୍କ ଦ୍ବାରା ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଇଛି । ସୁଲେଇ ଖମାରରେ ବିଶ୍ଵବିଦ୍ୟାଳୟ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବାରେ କୌଣସି ଆପତ୍ତି ନାହିଁ। ଏହା ଦ୍ବାରା ଦୁଇଟି ଉଚ୍ଚତର ଶିକ୍ଷାନୁଷ୍ଠାନ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିପାରିବେ । ଶିକ୍ଷା ଓ ନିଯୁନ୍ତି କ୍ଷେତ୍ରରେ ଅଧିକ ବିକାଶ ସାଧିତ ହୋଇ ପାରିବା ସହ ପୁରୁଣା ବଜାର ଅଞ୍ଚଳର ମଧ୍ଯ ଉନ୍ମତି ହୋଇପାରିବ । ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନର ସୁଯୋଗ ପାଇବା ସହିତ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁନ୍ତି ପାଇବାର ସୁଯୋଗ ସୃଷ୍ଟି ହେବ।
୩. ରାଜ୍ୟର ଏହି ପୁରାତନ ମହାବିଦ୍ୟାଳୟଟି ଛାତ୍ରଛାତ୍ରୀ ମାନଙ୍କୁ ସ୍ଵଳ୍ପ ଅର୍ଥ ବିନିମୟରେ ଉଚ୍ଚମାନର ଶିକ୍ଷା ପ୍ରଦାନ କରିଥାଏ ଏବଂ ସ୍ବତନ୍ତ୍ର ଭାବେ ପରିକ୍ଷା କରିବା ସହ ନାନା ସୁବିଧା ଓ ସୁଯୋଗ ପ୍ରଦାନ କରିଥାଏ। ବିଶ୍ଵ ବିଦ୍ୟାଳୟ ହେବା ଦ୍ଵାରା କେନ୍ଦୁଝରର ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ୩ ଗୁଣରୁ ଅଧିକ ଅର୍ଥ ଦେବାକୁ ପଡୁଛି। ପୂର୍ବରୁ ପିଲାମାନେ ନାମଲେଖା ଫି ବାବଦରେ ପ୍ରାୟ ୧୩୦୦ ଟଙ୍କା ଦେବାକୁ ପଡୁଥିବା ସ୍ଥଳେ ବର୍ତମାନ ୪୩୦୦ ଟଙ୍କାରୁ ଉର୍ଦ୍ଧ୍ବ ଦେବାକୁ ପଡୁଛି। ଏହା ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝ ନିଶ୍ଚୟ। ଏଣୁ ବହୁ ଛାତ୍ରଛାତ୍ରୀ ବାଧ୍ଯହୋଇ ଅନ୍ୟତ୍ର ଚାଲିଯାଉଛନ୍ତି ଅଥବା ଅଧାରୁ ପାଠପଢା ଛାଡୁଛନ୍ତି। ଏହା ବ୍ୟତୀତ ମାସିକ ଫି ହଷ୍ଟେଲ ଫି ମଧ୍ୟ ଅତ୍ୟଧିକ ଦେବାକୁ ପଡୁଛି । ବିଶେଷତଃ ବିଶ୍ଵବିଦ୍ୟାଳୟ ହେବା ଦ୍ବାରା ପୂର୍ବରୁ ଥିବା ମହାବିଦ୍ୟାଳୟଟି ସରକାରୀ ମାନ୍ୟତ୍ୟ ହରାଇ ଛାତ୍ରଛାତ୍ରୀଙ୍କୁ ଆର୍ଥୀକ ବୋଝ ଦିଆଯାଇଛି। ଶୈକ୍ଷିକ ବାତାବରଣ ନଷ୍ଟ ହୋଇଯାଇଛି। ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କର ମନମୁଖୀ ଶାସନ ଓ ନିଷ୍ଠୁରତାହିଁ କଟାଘା'ରେ ଚୂନ ବୋଳି ଦେଇଛି !
୪. ବିଶେଷତଃ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗର Standing Committee ସଦସ୍ୟ ପୂର୍ବତନ ଉଚ୍ଚଶିକ୍ଷାମନ୍ତ୍ରୀ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାର MP ମାନ୍ୟବର ଅନନ୍ତ ନାଏକ ଓ ସମସ୍ତ MLA ସମେତ ସବୁ ରାଜନୈତିକ ଦଳର ନେତା, ପୁରାତନ ଛାତ୍ରସଂଘ, ଅଭିଭାବକ ସଂଘ, ସାମାଜିକ କର୍ମୀ, ବରିଷ୍ଠ ନାଗରିକ ସଂଘ, ସାମ୍ବାଦିକ ଓ ଓକିଲ ସଂଘ ଅନ୍ୟବର୍ଗ ତଥା ସଂଘର କର୍ମୀ ଓ ସଚେତନ ନାଗରିକମାନେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କରି ଏପରି ଏକ ସମ୍ବେଦନ ଶୀଳ ସମସ୍ୟାର ସମାଧାନ କରିବା ସକାଶେ ଦାବି ଉପସ୍ଥାପିତ କରିଛନ୍ତି। କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି। କେନ୍ଦୁଝର ଲୋକପ୍ରତିନିଧି ସ୍ବୟଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟ ଠାରୁ ପୃଥକ କରି ଏହାର ସ୍ବତନ୍ତ୍ର ଅସ୍ତିତ୍ବ ରକ୍ଷା କରିବା ସକାଶେ କେନ୍ଦୁଝର, ଚମ୍ପୁଆ ଓଆନନ୍ଦପୁରରେ ସର୍ବ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥଲେ।
୫. ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷାମଞ୍ଚ ତରଫରୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅସ୍ତିତ୍ବକୁ ବଜାୟ ରଖି ସୁଲେଇ ଖମାରରେ ବିଶ୍ବବିଦ୍ଯାଳୟକୁ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବା ସକାଶେ ଏକ ସ୍କାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲେବି ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହା ସମସ୍ତ କେନ୍ଦୁଝର ବାସୀଙ୍କୁ ମର୍ମାହତ କରିଛି ଏବଂ ଘୋର ଅସନ୍ତୋଷର ବହ୍ନି ପ୍ରଜ୍ଵଳିତ କରିଛି ।
ଏହି ସବୁ କାରଣ ଯୋଗୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷାମଞ୍ଚ ଆପଣଙ୍କ ସମ୍ମୁଖରେ ସତ୍ୟକୁ ଉନ୍ମୋଚିତ କରି କେନ୍ଦୁଝରର ସ୍ବାର୍ଥରକ୍ଷା ତଥା ନ୍ୟାର୍ଯ୍ୟ ଦାବି ହାସଲ କରିବା ସକାଶେ ଆଗାମୀ କାର୍ଯ୍ୟପନ୍ଥାରେ ଆପଣ ମାନଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ କାମନା କରୁଛି ।
ନିବେଦକ: ସଦସ୍ୟ ବୃନ୍ଦ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ, କେନ୍ଦୁଝର
9438341142, 9348449385, 7749998758, 9438557939