logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଡ ଧରଣର ଡକାୟତି ଯୋଜନା ପଣ୍ଡ କଲା ବେଲଗୁଣ୍ଠା ପୋଲିସ:୮ ଗିରଫ

ବେଲଗୁଣ୍ଠା-୦୫/୦୮-ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା ।ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ Iକିନ୍ତୁ ଠିକଣା ସମୟରେ ବେଲଗୁଣ୍ଠା ପୋଲିସ ପହଞ୍ଚିବା ଦ୍ୱାରା ଡ଼କାୟତ ଗ୍ୟାଙ୍ଗ୍ ର ସମସ୍ତ ଯୋଜନା ପଣ୍ଡ ହୋଇଛି ।ଏହିଭଳି ଏକ ଘଟଣା ଘଟିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ I ସୂଚନା ପ୍ରକାରେ ସୋମବାର ମଧ୍ୟ ରାତିରେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ,ଥାନା କର୍ମାଚରୀ ଏସ୍. କେ. ଭୂୟାଁ,ବି.ଆର. ବିଷୋୟୀ, ଆର.ସବର,ବି. ଏନ୍. ବେହେରା ଏବଂ ଡି. ପଟ୍ଟନାୟକ ବେଲଗୁଣ୍ଠା ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁ୍ଥିବା ସମୟରେ ରାତି ୧୨.୧୫ ରେ, ତାଙ୍କୁ ଏକ ଭରସାଯୋଗ୍ୟ ଉତ୍ସରୁ ଖବର ମିଳିଲା ଯେ, ନୂଆ କୋକଲୁଣ୍ଡା ଗାଁର କାଜୁ ଜଙ୍ଗଲ ନିକଟସ୍ଥ ଏକ ଭଡା ଫାର୍ମ ହାଉସରେ କିଛି ଅସାମାଜିକ ଲୋକ ମନ୍ଦ ଉଦ୍ଦେଶ୍ୟରେ ଏକାଠି ହୋଇ ଅଞ୍ଚଳର ଘର ବା ଗହଣା ଦୋକାନରେ ଲୁଟ ଯୋଜନା କରୁଛନ୍ତି Iଏନେଇ ଏସ୍ଆଇ ଶ୍ରୀ ପ୍ରଧାନ ଏଏସ୍ଆଇ ପି.କେ. ଛାତି ଓ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କୁ ସୂଚନା ଦେଇଥିଲେ I ପରେ ପୋଲିସ୍ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କୋକଲୁଣ୍ଡା ଛକରୁ ଘଟଣାସ୍ଥଳକୁ ଯାଇଥିଲେ । ରାତି ୦୧.୧୫ ସମୟରେ ଫାର୍ମ ହାଉସ ନିକଟରେ ପହଞ୍ଚି ଚାରିଦିଗରୁ ଘେରାଉ କରି ଘଟଣା ଉପରେ ନଜର ରଖିଥିଲେ I ମିଳିଥିବା ଖବର ସତ୍ୟ ବୋଲି ଜାଣିପାରି କିଛି ଲୋକ ଆପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁ୍ଥିବା ନେଇ ପୋଲିସ୍ ର ସନ୍ଦେହ ହୋଇଥିଲା । ପୋଲିସ୍ ବାହିନୀ କାଳ ବିଳମ୍ବ ନକରି ଫାର୍ମ ହାଉସରେ ଅତର୍କିତ ଚଢାଉ କରି ସେଠାରେ ଥିବା ଆଠ ଜଣ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ I ସେମାନେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମର ରଞ୍ଜିତ କୁମାର ସ୍ୱାଇଁ ଓରଫ କାଳିଆ (୨୭), ବୋରିପଦର ଗ୍ରାମର ସିମାଞ୍ଚଳ ଗୌଡ଼ା ଓରଫ ମୁନା (୩୭), ନୂଆଁ ତନରଡ଼ା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଓରଫ ଶେଷ (୩୦), ତନରଡ଼ା ବଡ଼ ସାହିର ଶଙ୍କର ଗୌଡ଼ ଓରଫ ବୁଟୁ(୩୨), ହରିଜନ ଉଢୁରା ଗ୍ରାମର ଲୋକନାଥ ନାଇକ ଓରଫ ଚିକୁ(୨୧) ଓ ଅଶ୍ୱିନୀ ନାଇକ , ଭଞ୍ଜନଗର ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ସୁଜିତ କୁମାର ଗୌଡ଼ ଓରଫ ସଂଗ୍ରାମ (୨୫) ଏବଂ ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ନୀଳମାଧବ ସେଠୀ ଓରଫ ବାବୁ (୩୧) Iସେମାନଙ୍କୁ ପଚରାଉଚୁରା କରିବା ପରେ ଫାର୍ମ ହାଉସକୁ ମାସିକ ହଜାରେ ଟଙ୍କା ଭଡାରେ ଭଡାରେ ନେଇଥିବା ଜଣାପଡିଥିଲା । ଘଟଣା ସ୍ଥଳରୁ ପୋଲିସ୍ ସେମାନଙ୍କ ନିକଟରୁ ତିନୋଟି ଖଣ୍ଡା, ଚାରିଟି କାତି, ବିସ୍ଫୋରକ ସାମଗ୍ରୀ, ଏଗାରଟି ମୋବାଇଲ୍, ନାଲି ରଙ୍ଗର ୟାମ୍ହା ଗାଡ଼ି, ଧଳା ରଙ୍ଗର ବୋଲେରୋ, ଗୋଟିଏ ପଲ୍ସର୍ ଗାଡ଼ି, ଗୋଟିଏ ବୁଲେଟ୍, ଗୋଟିଏ ହୁଣ୍ଡାଇ ଭେର୍ନା,ଗୋଟିଏ ହୋଣ୍ଡା ଆମେଜ୍ ଏବଂ ଛଅଟି ଗାଡ଼ି ଚାବି ଜବତ କରିଥିଲେ I ସମସ୍ତ ସନ୍ଦିଗ୍ଧଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ରିପୋର୍ଟ୍ ପ୍ରକାରେ ବେଲଗୁଣ୍ଠା ଥାନାରେ ୩୯୧/୨୫ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି Iତେବେ ବେଲଗୁଣ୍ଠା ପୋଲିସ୍ ର ତତ୍ପରତା ଯୋଗୁଁ ନିଶ୍ଚିତ ରୂପେ ଏକ ବଡ଼ ଧରଣର ଲୁଟ୍ ଯୋଜନା ପଣ୍ଡ ହୋଇଥିବାରୁ ବେଲଗୁଣ୍ଠା ଅଞ୍ଚଳବାସୀ ପୋଲିସ୍ ବାହିନୀକୁ ସାଧୁବାଦ ଜଣାଇଛନ୍ତି ।ବେଲଗୁଣ୍ଠା ଥାନା ଅଞ୍ଚଳରେ କୌଣସି ଅସାମାଜିକ କାର୍ଯ୍ୟକଳାପ ଓ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାକୁ ଦିଆଯିବ ନାହିଁ ବୋଲି ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।

90
2488 views

Comment