
ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ରକ୍ଷା ବନ୍ଧନ ପର୍ବ ପାଳନ !
ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର କେନ୍ଦ୍ରସ୍ଥଳରେ ଅବସ୍ଥିତ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ମହା ଆଡ଼ମ୍ବରରେ ସାମାଜିକ ସମରସତ୍ତାର ପର୍ବ ରକ୍ଷା ବନ୍ଧନ ପାଳନ ହୋଇ ଯାଇଛି । ପ୍ରଥମେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପ୍ରଭାତ ସମୟରେ ନିକଟସ୍ଥ କୁମାରୀ ଗ୍ରାମର ଆୟୂର୍ବେଦାଚାର୍ଯ୍ୟ ଶ୍ରୀଯୁକ୍ତ ହରିହର ରଥ ସାରଙ୍କ ଆଦର୍ଶ ଗୋଶାଳା ରେ ପହଞ୍ଚିଥିଲେ । ସେଠାରେ ଗୋଶାଳାର ପରିବେଶ ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇ ଗୋସେବା ଅୟମାରମ୍ଭ କରିଥିଲେ । ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଗୋମାତା ମାନଙ୍କୁ ତେଲ ହଲଦିରେ ସୁସଜ୍ଜିତ କରି ପୁଷ୍ପମାଲ୍ୟ ପରିଧାନ ପୂର୍ବକ ଆରତୀ ଉତ୍ତାରିଥିଲେ । ଆଦର୍ଶ ଗୋଶାଳା ର ପ୍ରବନ୍ଧକ ରଥ ସାର୍ ଗୋସେବା ର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀ , ସଙ୍କୀର୍ତ୍ତନ କରି ସେଠାରୁ ପ୍ରସ୍ଥାନ କରିଥିଲେ । ସେଠାରୁ ଫେରି ଅନୁଷ୍ଠାନରେ ଶତାଧିକ ଛାତ୍ରଛାତ୍ରୀ ରକ୍ଷା ବନ୍ଧନ ପାଇଁ ଏକତ୍ରିତ ହୋଇଥିଲେ ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିବିଧ କ୍ଷେତ୍ର ସାଗର ଭାରତୀ ସିମା ଜାଗରଣ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରତାପ ଦାମଲ୍ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ସମରସତ୍ତା ପାଇଁ କିପରି ଶାରୀରିକ ଦୃଷ୍ଟିରୁ ବଳିଷ୍ଠ ମାନସିକ ଦୃଷ୍ଟିରୁ ସୁଦୃଢ ହେବାପାଇଁ ପ୍ରବର୍ତ୍ତାଇ ଥିଲେ । ଇତ୍ୟବସର ରେ ପ୍ରତ୍ୟେକ ଛାତ୍ରଛାତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇ ସଦଭାବନା ବାଣ୍ଟି ଥିଲେ । ପରବର୍ତ୍ତୀ ସମୟରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ନଗରର ବିଭିନ୍ନ ଅନୁଷ୍ଠାନ ବୁଲି ସଦଭାବନା ବୃଦ୍ଧି ପାଇଁ ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଗାଇଡ କରିଥିଲେ । ଅନୁଷ୍ଠାନର ଉଦ୍ୟୋକ୍ତା ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।