logo

*ସଠିକ୍ ଭିତ୍ତିଭୂମି ନଥିବାରୁ ବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ*


ଦାମନଯୋଡି,୧୦/୮(ନିପ୍ର): ସଠିକ୍ ଭିତ୍ତିଭୂମି ନଥିବାରୁ ବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ, ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ପଞ୍ଚାୟତ ସମିତି ଅଧିନସ୍ଥ ଚାରାଙ୍ଗୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ଗ୍ରାମରେ । ୧୯୯୦ ମସିହାରେ ଗାଁ ଠାରୁ କିଛି ଦୂରରେ ୪୦ ଡିସିମିଲ ପରିମିତ ଅଞ୍ଚଳରେ ପ୍ରଥମେ ଝୁପୁଡ଼ି ଘରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ଓ ଦୁଇ ଜଣ ଶିକ୍ଷୟତ୍ରୀ ଙ୍କୁ ନେଇ ବିଦ୍ୟାଳୟ ଚାଲିଥିଲା । ହେଲେ କିଛି ବର୍ଷ ବିଦ୍ୟାଳୟ ସେହି ସ୍ଥାନରେ ଚାଲିବା ପରେ ୨୦୦୫ ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ପାଇବା ସହ ବିଦ୍ୟାଳୟଟିକୁ ଗାଁ ମଝିରେ ନୂତନ କୋଠା ନିର୍ମାଣ କରାଯାଇ ସ୍ଥାନାନ୍ତର କରାଯାଇଥିଲା । ତେବେ ସ୍ଥାନାନ୍ତର ର କାରଣ ଅସ୍ପଷ୍ଟ ରହିଛି । ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଛି ଓ ଚାରିଜଣ ଶିକ୍ଷୟତ୍ରୀ ଏଠାରେ ନିଯୁକ୍ତ ହୋଇଛନ୍ତି । ହେଲେ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ପ୍ରଣୀତ ହୋଇଥିବା ବାଲ୍ ବାଟିକା ଶ୍ରେଣୀର ୫ ଶିଶୁ ଙ୍କୁ ନେଇ ମାତ୍ର ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ବିଦ୍ୟାଳୟରେ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଏହାର ଭିତ୍ତିଭୂମି ।
ବିଦ୍ୟାଳୟଟି ଗାଁ ମଝିରେ ଅବସ୍ଥିତ ହୋଇଥିବାରୁ ବିଦ୍ୟାଳୟ ମଧ୍ଯ ଦେଇ ଗାଁ ର ମୁଖ୍ୟ ରାସ୍ତା ଯାଇଛି । ଦୁଇପଟେ ଶ୍ରେଣୀଗୃହ ଓ ମଜିରେ ରାସ୍ତା । ପଦଚାରୀ ଓ ଗାଡ଼ି ମଟର ଚଳାଚଳ ସହ କୋଳାହଳ ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟରେ ନା ଅଛି ଖେଳ ପଡ଼ିଆ ନା ସୁରକ୍ଷା ପ୍ରାଚୀର । ପ୍ରତି ସମୟରେ ବିଦ୍ୟାଳୟ ପରିସର ମଧ୍ୟକୁ ଅସାମାଜିକ ଓ ଅବୈଧ ଲୋକଙ୍କ ଅନୁପ୍ରବେଶ ଦେଖିବାକୁ ମିଳୁଛି । ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଉତ୍ସବ ପାଳନ ପାଇଁ ୧୦୦ ଜଣ ଛାତ୍ରଛାତ୍ରୀ ଠିଆ ହେବାକୁ ସେଭଳି ସ୍ଥାନ ମଧ୍ୟ ନାହିଁ । ବିଦ୍ୟାଳୟ ଚତୁଃପାର୍ଶ୍ଵ କୁ ଲାଗି ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗା ଓ ଘର ରହିଥିବାରୁ ବିଦ୍ୟାଳୟ ଚତୁଃପାର୍ଶ୍ଵରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇପାରୁ ନାହିଁ ।
କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଓ ପ୍ରୋତ୍ସାହନ ଦେଉଥିବା ବେଳେ ଭେଜାପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏଭଳି ବିକଳ ଚିତ୍ର କ'ଣ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଯାଇଛି ନା ଏଥିରେ କିଛି ରାଜନୈତିକ ହସ୍ତକ୍ଷେପ ରହିଛି ତାହା ଜଣେ ସାଧାରଣ ଲୋକ ବୁଝିବା କାଠିକର ବ୍ୟାପାର । ଅନ୍ୟ ପକ୍ଷରେ ନାଲକୋ ଭଳି ନବରତ୍ନ ଉଦ୍ୟୋଗ ଏହାର ଅତି ନିକଟରେ ଥାଇ ମଧ୍ଯ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହୋଇ ପାରୁନାହିଁ । ତେବେ ଭେଜାପୁଟ ର ଉକ୍ତ ବିଦ୍ୟାଳୟକୁ ଗାଁ ଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି

42
1921 views