logo

ଶ୍ରମିକ ବିରୋଧି ଶ୍ରମକୋର୍ଡ ତୁରନ୍ତ ବାତିଲ ଦାବିରେ ଓଡିଶା ଖଣି ନିଗମ ଶୁଆକାଟି ଆଗରେ ଶ୍ରମିକ ମାନଙ୍କର ବିକ୍ଷୋଭ।

ଶ୍ରମିକ ବିରୋଧି ଶ୍ରମକୋର୍ଡ ତୁରନ୍ତ ବାତିଲ ଦାବିରେ ଓଡିଶା ଖଣି ନିଗମ ଶୁଆକାଟି ଆଗରେ ଶ୍ରମିକ ମାନଙ୍କର ବିକ୍ଷୋଭ।

କେନ୍ଦୁଝର, ୨୬। ୧୧ : ଶ୍ରମିକ ବିରୋଧି ଶ୍ରମକୋର୍ଡ ତୁରନ୍ତ ବାତିଲ ଦାବିରେ ବାଂଶପାଳ ବ୍ଲକ ର ଶୁଆକାଟୀ ସ୍ଥିତ ଓଡିଶା ଖଣି ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଏଆଇଟିୟୁସି ନେତୃତ୍ୱରେ ଶ୍ରମିକ ମାନେ ବିକ୍ଷୋଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ଏଆଇଟିୟୁସି ଡାକରାରେ ନଭେମ୍ବର ୨୬ ତାରିଖଠାରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନା ସମ୍ମୁଖରେ ହଜାର ହଜାର ଶ୍ରମିକ ବିକ୍ଷୋଭ ଜରିଆରେ ବିରୋଧି ଶ୍ରମ କୋର୍ଡକୁ ବିରୋଧ ଜାରି ରଖିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ବାରା ହଠାତ ସାରା ଦେଶରେ ନୂତନ ଶ୍ରମ କୋର୍ଡ ଲାଗୁ କରିବା ପାଇଁ ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏଥି ପାଇଁ ଦେଶର ଶ୍ରମିକ ସଂଗଠନ ମାନଙ୍କ ସହ କୌଣସି ଆଲୋଚନା କରା ଯାଇ ନାହିଁ। ଦୀର୍ଘ ଦିନ ହେଲା ଏହି ୪ଟି ଶ୍ରମ କୋର୍ଡ ବାତିଲ କରିବା ଦୀର୍ଘ ଦିନ ହେବ ସମଗ୍ର ଦେଶରେ ଜୋରଦାର ଶ୍ରମିକ ଆନ୍ଦାଳନ ଚାଲୁ ରହିଥିବା ବେଳେ ସରକାର ରାତି ଅଧିଆ ଶ୍ରମ କୋର୍ଡ ଲାଗୁ କରିଛନ୍ତି।
ଏହି ଆଇନ ଲାଗୁ ହେବା ଦ୍ବାରା ଶ୍ରମିକ ମାନଙ୍କର ନିଯୁକ୍ତି ଅଧିକ ଅସ୍ଥାୟୀ ହେବା ସଂଗେ ସଂଗେ, ହାୟାର ଏଣ୍ଡ ଫାୟାର ନୀତିରେ ଶ୍ରମିକମାନଂକୁ ମାଲିକ ମାନଙ୍କ ଦ୍ବାରା ଯେତେବେଳେ ଚାହିଁବେ ଛଟେଇ କରାଯିବ ଓ ସ୍ଥାୟୀ ନିଯୁକ୍ତି ବଦଳରେ ଅସ୍ଥାୟୀ ଚୁକ୍ତି ଭିତିକ ନିଯୁକ୍ତି ବୃଦ୍ଧି ପାଇବ। ଦୈନିକ କାର୍ଯ୍ୟ ଦିବସ ୧୦/୧୨ ଘଣ୍ଟା ବୃଦ୍ଧି ହେଲେ ସମଗ୍ର ଦେଶର ବିଭିନ୍ନ କାରଖାନା, ଖଣି ଓ ଅନ୍ୟାନ୍ୟ ଶିଳ୍ପରେ ଗୋଟିଏ ସିଫ୍ଟର ଶ୍ରମିକ ତଥା ଲକ୍ଷ ଲକ୍ଷ ଶ୍ରମିକ ନିଯୁକ୍ତି ହରାଇବେ। ଏମିତି ତ ଦେଶରେ କୋଟି କୋଟି ସଂଖ୍ୟାରେ ବେକାର ଯୁବକ ଯୁବତୀ ଶିକ୍ଷା ସମାପ୍ତ ପରେ ନିଯୁକ୍ତି ପାଇଁ ବାୟୋଡାଟା ଫାଇଲ ଧରି ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ ଘୁରି ବୁଲୁଛି। ହେଲେ କେଉଁଠି ବି ଜବ୍ ଟିଏ ମିଳୁ ନାହିଁ। ସେହିଭଳି ଟ୍ରେଡ୍ ୟୁନିୟନ କ୍ଷମତାକୁ ସଙ୍କୁଚିତ କଲା ପରେ ମାଲିକ ମାନଙ୍କ ଦ୍ବାରା ଶ୍ରମିକ ମାନେ ଅଧିକ ଶୋଷିତ ହେବେ। ସେହିଭଳି ବୋନସ୍ ଓ ଛୁଟି ଭଳି ସୋସିଆଲ ସିକ୍ୟୁରିଟି ଉପରେ ଅଂକୁଶ ଲଗାଇବା ପାଇଁ ସ୍ଥିର ହୋଇଛି। ଯାହାକି ବିନା ୟୁନିୟନରେ ଶ୍ରମିକ ମାନଂକୁ ଡରାଇ ମାଲିକ ମାନେ କାର୍ଯ୍ୟ ହାସଲ କରିବା ସହ କାର୍ଯ୍ୟରୁ ବସାଇଦେବୋ ଶ୍ରମିକ ଶୋଷଣ ଅଧିକରୁ ଅଧିକ ବଢିବାରେ ଲାଗିବ। ପୂର୍ବ ଶ୍ରମ ଆଇନକୁ ଠିକ୍ ଭାବେ ଲାଗୁ ହୋଇ ପାରୁ ନଥିବା ବେଳେ, ମାଲିକ ସପକ୍ଷବାଦୀ ନୂଆ ଶ୍ରମ କୋର୍ଡ ସମ୍ପୁର୍ଣ୍ୱ ଭାବରେ ଶ୍ରମିକ ବିରୋଧି ଅଟେ। ଆଜି ନିଗମର ଗନ୍ଧମାର୍ଦ୍ଦନ ଖଣି ମୁଖ୍ୟ କାର୍ଯ୍ୟାଳୟରେ ସମ୍ମୁଖରେ ଶହ ଶହ ଶ୍ରମିକ ଏକତ୍ର ହୋଇ ଶ୍ରମ କୋର୍ଡ ଓଏମସି ଖଣିରେ ଲାଗୁ ନ କରିବା ପାଇଁ ଦାବି ଜଣାଇଛନ୍ତି। ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ ସଭାପତି ସାଥୀ ମହେଶ୍ବର ରାଉତଙ୍କ ନେତୃତ୍ବରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ବେଳେ ନିଗମ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀହରି ଘଣା, ହୃଦା ପାତ୍ର, ବଦ୍ରୁ ଜାମା, ବିରଂଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହାନ୍ତ, ବନମାଳି ନାୟକ, ଗୋବିନ୍ଦ ପ୍ରମୁଖ ଭାଗ ନେଇଥିଲେ। ଜିଲ୍ଲାର ଅନ୍ୟ କାରଖାନା ଓ ଖଣି ସମ୍ମୁଖରେ ଏହି ବିକ୍ଷୋଭ ଜାରି ରହିବା ସହ ଡିସେମ୍ବର 3 ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଶ୍ରମିକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଏଆଇଟିୟୁସି ତରଫରୁ ସାଥୀ ମହେଶ୍ବର ରାଉତ ଘୋଷଣା କରିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

30
1821 views