logo

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ !



ପାରଳାଖେମୁଣ୍ଡି -ଗଜପତି ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ "ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ" (IQAC) ଓ ବାଣିଜ୍ୟ ବିଭାଗର ସଂଯୁକ୍ତ ଆୟୋଜନରେ "SUSTAINABLE, INCLUSIVE & DIGITAL TRANSFORMATION IN COMMERCE, MANAGEMENT & SOCIETY " “ବାଣିଜ୍ୟ, ପରିଚାଳନା ଓ ସମାଜରେ ସସ୍ଥାୟୀ, ସମାବେଶୀ ଓ ଡିଜିଟାଲ ରୂପାନ୍ତରଣ” ବିଷୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ୨୨ ଓ ୨୩ ଡିସେମ୍ବର ୨୦୨୫ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ହାଇବ୍ରିଡ୍ ମୋଡରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ମେଘାଳୟର ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ବାଣିଜ୍ୟ ବିଭାଗର ପ୍ରଫେସର ନାଗରୀ ମୋହନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏବଂ ପୁନେର ଗ୍ଲୋବାଲ ବିଜିନେସ୍ ସ୍କୁଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ପ୍ରଫେସର ପ୍ରବୀର ଚନ୍ଦ୍ର ପାଢ଼ୀ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ ସାମ୍ପ୍ରତିକ ସମାଜରେ ଡିଜିଟାଲ ସଶକ୍ତିକରଣ ଓ ସନ୍ତୁଳିତ ବିକାଶର ଆବଶ୍ୟକତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ସହ ଆବାହକ ପ୍ରଫେସର ଶିବ ପ୍ରସାଦ ସେଠୀ ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ସୁମନ୍ତ କୁମାର ବେହେରା ମଞ୍ଚାସୀନ ଥିଲେ I
ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ବିଶିଷ୍ଟ ଶିକ୍ଷାବିଦ୍‌, ଗବେଷକ ଓ ବିଶେଷଜ୍ଞମାନେ ଯୋଗଦେଇ ନେତୃତ୍ୱ, ଆର୍ଥିକ ସମାବେଶ, ଫିନ୍‌ଟେକ୍‌, କୃତ୍ରିମ ବୁଦ୍ଧିମତା, ମହିଳା ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ, ଇ-କମର୍ସ, ଜଳବାୟୁ ପରିବର୍ତ୍ତନ ଓ ଭାରତୀୟ ଜ୍ଞାନ ପରମ୍ପରା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରବନ୍ଧ ପାଠ ଓ ଆଲୋଚନା କରିଥିଲେ l ଓମାନ, କାନାଡା, ମାଲେସିଆ ଏବଂ ବାହାରିନ ଭଳି ବିଦେଶୀ ବିଶ୍ୱବିଦ୍ୟାଳୟର ବିଶାରଦମାନେ ଅନଲାଇନ ଜରିଆରେ ନିଜର ମତ ରଖିଥିଲେ। ପ୍ରତ୍ୟେକ ଅଧିବେଶନର ଶେଷ ପର୍ଯ୍ୟାୟରେ ଜିଜ୍ଞାସୁ ଶ୍ରୋତାମାନେ ପ୍ରାବନ୍ଧିକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ମୋଚନ କରିଥିଲେ l ଏହି ଉପଲକ୍ଷେ ପ୍ରକାଶିତ ସ୍ମରଣିକାରେ ପ୍ରବନ୍ଧମାନଙ୍କର ସଂକ୍ଷିପ୍ତସାର, ପରବର୍ତ୍ତୀକାଳରେ ଗବେଷକମାନଙ୍କ ପଥପ୍ରଦର୍ଶକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ I ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ-ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଗବେଷକଙ୍କୁ ଉତ୍ସାହିତ କରିଥିଲେ। ଗୋଆ ମଲ୍ଟି ଫ୍ୟାକଲ୍ଟି କଲେଜର ଡକ୍ଟର ସୁବାସିଶ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବାଣିଜ୍ୟ କ୍ଷେତ୍ରରେ ନୂତନ ଗବେଷଣାର ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ଆବାହକ ଡକ୍ଟର ବିଘ୍ନେଶ୍ୱର ମିଶ୍ର ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ଶୁଭେନ୍ଦୁ କୁମାର ପ୍ରଧାନ ମଞ୍ଚାସୀନ ଥିଲେ I ପରିଶେଷରେ ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ସମ୍ମିଳନୀକୁ ସଫଳ କରିବାରେ ବାଣିଜ୍ଯ ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ସେଠୀ, ଆବାହକ ଡକ୍ଟର ବିଘ୍ନେଶ୍ୱର ମିଶ୍ର ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ସୁମନ୍ତ କୁମାର ବେହେରା ଓ ଡକ୍ଟର ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଅବଦାନକୁ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ଭୂୟସୀ ପ୍ରଶଂସା କରିଥିଲେ I ମହାବିଦ୍ୟାଳୟର "ବାଣିଜ୍ଯ ବିଭାଗ" ଓ "ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ" ଏପରି ଏକ ମନୋରମ ସମ୍ମିଳନୀର ଆୟୋଜନ କରିଥିବାରୁ, ଅଂଶ ଗ୍ରହଣକାରୀମାନେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ, ପ୍ରକୋଷ୍ଠ ଏବଂ ବାଣିଜ୍ଯ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସାଧୁବାଦ ଜଣାଇଥିଲେ I ବାଣିଜ୍ଯ ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ଶବର, ସମ୍ମିଳନୀର ସଂଗଠନ କମିଟର ସଦସ୍ୟ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଡକ୍ଟର ପ୍ରିୟବ୍ରତ ଶତପଥୀ, ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠର ସଦସ୍ୟ ଶ୍ରୀ ସୁକାନ୍ତ କୁମାର ବେହେରା, କାନନ ବାଳା ପାତ୍ର, ସନ୍ତୋଷୀ ପ୍ରଧାନ, ଆର୍ଚିସମାନ ସର୍ଦାର, ଦିବାକର ବାଉରୀ, ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା ଆଦି ସମ୍ମିଳନୀକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ l ସମ୍ମିଳନୀରେ ସନ୍ତୋଷୀ ପ୍ରଧାନ ସଭାକୁ ସଂଯୋଜନା, କାନନ ବାଳା ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

21
909 views