
ଦାମନଯୋଡ଼ିରେ ବୁଢ଼ାରାଜାଙ୍କ ପୁଷ ପୁନି ଯାତ୍ରା
ଦାମନଯୋଡ଼ି,୩୦/୧୨: ନାଲକୋ ବାସଚ୍ୟୁତଙ୍କ ଦାମନଯୋଡ଼ି କଲୋନୀ ପକ୍ଷରୁ ଗ୍ରାମଦେବତା ଫୁଟଲା ରଙ୍ଗଣୀ ବୁଢ଼ାରାଜାଙ୍କ ପୁଷ ପୁନି ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ସନ୍ଧ୍ୟାରେ ନାଲକୋ ଟାଉନସିପ ସେକ୍ଟର -୧ରେ ଥିବା ନିଶାଣିମୁଣ୍ଡାରେ ଶ୍ରୀଶ୍ରୀ ବୁଢ଼ାରାଜାଙ୍କ ସ୍ଵତନ୍ତ୍ର ପୂଜା ରୀତନୀତିରେ ପାଳିତ ହୋଇଥିଲା।ଦାମନଯୋଡ଼ି କଲୋନୀର ଗ୍ରାମବାସୀ ପାରମ୍ପରିକ ବାଜା,ମହୁରୀ,ନାଚ,ଗୀତ ମଧ୍ୟରେ ବୁଢ଼ାରାଜାଙ୍କୁ ଶୋଭାଯାତ୍ରାରେ ଆଣି ନିଶାଣିମୁଣ୍ଡାରେ ଅବସ୍ଥାପିତ କରାଯାଇଥିଲା।ଗୁରୁମାଇଙ୍କ ସହ ବୁଡ଼ିଆ ସେବାକାରୀ(ପୂଜକ)ଏହି ପୂଜାନୀତି କରିଥିଲେ। ସେବାକାରୀ ପୁରୁଷ ଭୋଇ,ଟଙ୍କ ଜାନି,ଦସେଇ ଦାମି,କମଳୁ ମାଝୀ,ଜୟରାମ ମାଝୀ,ଚନ୍ଦ୍ର ଜାନି,ଶ୍ୟାମ ମୁଦୁଲି,ମନ ବଡ଼ନାୟକ,ସୁବାସ ଦେଶନାୟକ ଓ ଅର୍ଜୁନ ଭୋଇ ପୂଜାନୀତି କରିଥିଲେ।କମିଟି ପକ୍ଷରୁ ଭଗବାନ ଜାନି, ଦୀନବନ୍ଧୁ ମାଝୀ,ରାମ ଟାକ୍ରୀ ପ୍ରମୁଖ ପରିଚାଳନା କରିଥିଲେ।ଉଲ୍ଲେଖ ଯୋଗ୍ୟ ଏଠାରେ ନାଲକୋ ପ୍ରତିଷ୍ଠା ବେଳେ ଏହି 'ଦାମନଯୋଡ଼ି'ଗାଁ ବିସ୍ଥାପିତ ହୋଇଥିଲା।ଏଠାରେ କିନ୍ତୁ ଗ୍ରାମ ଦେବତା ରହି ପୂଜା ପାଉଛନ୍ତି।ପ୍ରତିବର୍ଷ ପୌଷ ପୂର୍ଣ୍ଣିମା ନିକଟବର୍ତ୍ତୀ ଏକ ଶୁଭ ଦିନରେ ଏହି ସ୍ଵତନ୍ତ୍ର ପର୍ବ ପାଳିତ ହୋଇଥାଏ।ସେକ୍ଟର ୧ ପାହାଡ଼ର ଏକ ସ୍ଥାନରେ ବୁଢ଼ା ରାଜାଙ୍କ ଆସ୍ଥାନ।ସେଠାରୁ ଗ୍ରାମ ଦେବତାଙ୍କୁ ଆଣି ମାର୍କେଟ ନିକଟରେ ଥିବା ନିଶାଣିମୁଣ୍ଡାରେ ରୀତିନୀତି ଅନୁସାରେ ପୂଜା କରାଯାଇଥାଏ।ଅତ୍ୟନ୍ତ ନିଷ୍ଠା ସହକାରେ ଗୁରୁମାଇ ଓ ସେବାକାରୀ ପୂଜା କରିଥାନ୍ତି।ଗ୍ରାମବାସୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।