logo

ଦାମନଯୋଡ଼ିରେ ନୂତନ ବର୍ଷ ୨୦୨୬କୁ ସ୍ବାଗତ

ଦାମନଯୋଡ଼ି,୦୧/୦୧:ନୂତନ ବର୍ଷ ୨୦୨୬ର ପ୍ରଥମ ଦିବସ ଦାମନଯୋଡ଼ିରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।ଲୋକମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ ସ୍ଥାନରେ ଭୋଜିଭାତ,ନାଚଗୀତର ଆସର ଜମିଥିଲା।ବଡ଼ି ଭୋରରୁ ବହୁ ଶ୍ରଦ୍ଧାଳୁ ଏଠାକାର ଶ୍ରୀଜଗନ୍ନାଥଙ୍କ ମନ୍ଦିର,ମା' କଣ୍ଟା ବାଉଁଶୁଣୀଙ୍କ ପୀଠ ଓ ଶ୍ରୀ ଅଭୟ ଆଞ୍ଜେନେୟଙ୍କ ମନ୍ଦିର ସହିତ ନାଲକୋ ଟାଉନସିପ,ଭେଜାପୁଟ,ମାଥାଲପୁଟ ଆଦି ସ୍ଥାନରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।ନାଲକୋ କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲଙ୍କ ସହିତ ମୁଖ୍ୟ ମହାପ୍ରବନ୍ଧକ ଭିଏସଏସ ଆନନ୍ଦ,ସଞ୍ଜୟ ଗୁପ୍ତା,ସୁଗାତୋ ଆନନ୍ଦ ବାସୁ,ସ୍ୱରୂପାନନ୍ଦ ମିଶ୍ର ମୁଖ୍ୟ ମହାପ୍ରବନ୍ଧକ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ ପଟ୍ଟନାୟକ,ଉପସଭାପତି ବିଛନ୍ଦ ଚରଣ ଦାଶ,ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀ ଓ ବହୁ ସଦସ୍ୟ ସକାଳେ ଦିଅଁ ଦର୍ଶନ କରିଥିଲେ।ଏହାର ପୂର୍ବ ସଂଧ୍ୟାରେ ବୁଧବାର ନାଲକୋ କ୍ଲବ ପକ୍ଷରୁ ନୂତନ ବର୍ଷକୁ ସ୍ବାଗତ ଜଣାଇ 'ସ୍ୱାଗତଂ-୨୦୨୬' କାର୍ଯ୍ୟକ୍ରମ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅର୍କେଷ୍ଟ୍ରା,ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ,ଲକି ଡ୍ର ଆଦିର ବ୍ୟବସ୍ଥା ହୋଇଥିଲା।ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ ନାଲକୋ କମ୍ୟୁନୀଟି ସେଣ୍ଟର ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

47
1199 views