ପୂଣ୍ୟ ଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ
ପୂଣ୍ୟଭୂମି ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।
- ଘନଶ୍ୟାମ ପଲେଇ
ଭାଗ- ୮
ଧରଣୀଧର ବନ୍ଦୋବସ୍ତ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ନଥିଲେ। କାରଣ ସେ ତ କଟକରୁ ସେଇ ପାଠ ହିଁ ପଢି କି ଆସିଛନ୍ତି। ଖାଲି କଥା ରହିଲା ଛୋଟ ପଦିକାରେ ଜମି ମାପ... କେବଳ ଅଠର ପଦିକାରେ କାହିଁକି ?
ମହାରାଜାଙ୍କ ଆଦେଶ ମତେ କାର୍ଯ୍ୟ କରାଗଲେ ପ୍ରଜାକୁଳ ଭାସିଯିବେ। ଆଦେଶ ଅବଜ୍ଞା କଲେ ଚାକିରୀ ଛାଡିବାକୁ ପଡିବ। କେନ୍ଦୁଝରର ଉନ୍ନତି ପାଇଁ ଯେଉଁସବୁ ଯୋଜନା ପ୍ରସ୍ତୁତ କରାଯାଇଛି ସେ ସମସ୍ତ ପଣ୍ଡ ହୋଇଯିବ।
ଉପାୟ ଶୂନ୍ୟ ହୋଇ ମହାରାଜାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କହିଲେ- “ ମହାରାଜ ! ଛୋଟ ପଦିକାରେ ଜମି ମାପ କରାଇ ଖଜଣା ବୃଦ୍ଧି କଲେ ମାଣେ ଜମିରେ ଯେତିକି ଶସ୍ୟ ଫଳିବ, ସେହି ଶସ୍ୟର ମୂଲ୍ୟ ମାଣେ ଜମିର ଖଜଣାକୁ ବଳି ଯିବ କିମ୍ବା ଅଣ୍ଟିବ ନାହିଁ। ଯେବେ ବାଧ୍ୟତା ମୂଳକ ଭାବରେ ଛୋଟ ପଦିକାରେ ଜମି ମାପ କରାଯାଇ ଖଜଣା ବୃଦ୍ଧି କରି ଦିଆଯାଏ ତାହା ହେଲେ ଧାର୍ଯ୍ୟ ଖଜଣା ଦେଇ ନ ପାରି ପ୍ରଜାମାନେ ଗାଁ ଘର ଛାଡି ଅନ୍ୟ ରାଜ୍ୟକୁ ପଳାଇ ଯିବେ। ଏହା ରାଜ୍ଯ ଓ ପ୍ରଜା ପାଇଁ କାହାରି ମଙ୍ଗଳ ସାଧିତ ହେବ ନାହିଁ” ।
ସେଠାରେ ଉପସ୍ଥିତ ଥିବା ଆସିଷ୍ଟାଣ୍ଟ ମେନେଜର ବିଚିତ୍ରାନନ୍ଦ ଦାସ ସବ ଓଭର ସିଅର ଧରଣୀଧର ନାୟକଙ୍କ କଥାର ଅସାରବତ୍ତା ଦର୍ଶାଇବାକୁ ଯାଇ ମହାରାଜାଙ୍କୁ କହିଲେ – “ ଯେଉଁ ପ୍ରଜା ଜମି ଚାଷ କଲା, ସେ ପ୍ରଜା ଖଜଣା ଦେଲା। କେତେ ଜମିରେ କେତେ ଶସ୍ୟ ଫଳିବ, ସେ କଥା ବୁଝିବାରେ ଯାଏ ଆସେ କେତେ? ସବୁ ରାଜ୍ୟରେ ଏହି ନୀତି ଚଳୁଛି। ଅନ୍ୟରାଜାମାନେ ଏହି ପନ୍ଥା ଅବଲମ୍ବନ କରି ଲକ୍ଷ ଲକ୍ଷ ଟଙ୍କାରେ ରାଜକୋଷ ପୂର୍ଣ୍ଣ କରୁଛନ୍ତି। ସର୍ଭେ ଟ୍ରେନିଂ ପଢିଲେ କ’ଣ ହେବ, ମୁଣ୍ଡରେ ମଗଜ ବୋଲି କିଛି ନାହିଁ। ରାଜସ୍ୱ ବୃଦ୍ଧି କରିବା ଦିଗରେ ଧରଣୀ ବାବୁଙ୍କର ଜ୍ଞାନ ହିଁ ନାହିଁ”।
ଉଭୟଙ୍କ କଥା ଶୁଣି ମହାରାଜା ସନ୍ଦେହରେ ପଡିଗଲେ। ତାହା ସମାଧାନ କରିବା ଅପେକ୍ଷାରେ ରହିଲେ।
କ୍ରମଶଃ ......
ବି.ଦ୍ର.- ରତ୍ନା ମେଳି ପରେ ପରେ ଖ୍ରୀ.ଅ. ୧୮୬୮ ର ବନ୍ଦୋବସ୍ତରେ ମହାରାଜାଙ୍କ ବ୍ୟକ୍ତିଗତ ଜାଗିରି କରି ଚାଷଜମିର ଉତ୍ପନ୍ନ ଶସ୍ୟରୁ କେତେକାଂଶ ରାଜକୋଷକୁ କର ସ୍ୱରୂପ ଦେବାର ସ୍ଥିର କରାଯାଇଥିଲା। କିନ୍ତୁ ଜାଗିରିର ନିର୍ଦ୍ଦିଷ୍ଟ ଇଲାକା କିମ୍ବା ରାଜକୋଷକୁ କର ସ୍ୱରୂପ ଦେୟ ଶଷ୍ୟର ପରିମାଣ ନିର୍ଦ୍ଦିଷ୍ଟ ରୂପେ ନିରୂପିତ ହୋଇ ନଥିଲା। ତତ୍କାଳୀନ ସରକାରୀ ପ୍ରତିନିଧି କର୍ଣ୍ଣେଲ ଜନଷ୍ଟାନ ଏପରି ନୀତିର ଅସୁବିଧା ଉପଲବ୍ଧ କରି ପ୍ରଥମ ଥର ଚାଷଜମି ପାଇଁ ହଳ ପିଛା ଟ ୦.୫୦ ପଇସା ଓ ହଳ ନଥିବା ଘର ପିଛା ଟ ୦.୧୦ ପଇସା, ଏହା ବ୍ୟତିତ ଘର ପିଛା ସ୍କୁଲ ସେସ୍ ଟ ୦.୦୬ ପଇସା ମଧ୍ୟ ଦେବାକୁ ବ୍ୟବସ୍ଥା ରଖିଲେ। ଖ୍ରୀ.ଅ. ୧୮୬୮ ଠାରୁ ଏହି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଖ୍ରୀ.ଅ. ୧୮୭୦ ଠାରୁ ଏହା କାର୍ଯ୍ୟକାରୀ କରାଯାଇ ୩୦ ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମାତ୍ର ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଖ୍ରୀ.ଅ.୧୮୮୧ ଓ ଖ୍ରୀ.ଅ.୧୮୯୦ ରେ ଦୁଇଥର ଖଜଣା ନିମ୍ନ ପ୍ରକାରେ ନିର୍ଦ୍ଧାରଣ କରିଥିଲେ- ହଳ ପ୍ରତି ଟ ୦.୮୦ ପଇସା ଚାଷଜମି ପାଇଁ, ହଳ ନଥିବା ଘର ପିଛା ଟ ୦.୪୦ ପଇସା, ଘର ପିଛା ସ୍କୁଲ ସେସ୍ ଟ ୦.୧୨ ପଇସା।
ଏହି ପରି ବାରମ୍ବାର ଖଜଣା ବୃଦ୍ଧି ହେବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ତେଣୁ ୧୮୯୧ ଖ୍ରୀ.ଅ. ପ୍ରଜା ବିଦ୍ରୋହର ଅନ୍ୟ କାରଣ ମଧ୍ୟରୁ ଖଜଣା ବୃଦ୍ଧି ଅନ୍ୟତମ।
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500
ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ...।