logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଲାଙ୍ଗୀରରେ ଶୋକର ଛାୟା: ବାଇକ୍ ଧକ୍କାରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା ଓ ରାସ୍ତାରୋକ ।


ବଲାଙ୍ଗୀରରେ ଶୋକର ଛାୟା: ବାଇକ୍ ଧକ୍କାରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା ଓ ରାସ୍ତାରୋକ
ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ସମ୍ମୁଖରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ମୃତ ଛାତ୍ରୀ ଜଣକ ହେଲେ କୋରାପୁଟର ସିମରନ୍ ଷଡଙ୍ଗୀ, ଯିଏ କି ଏହି କଲେଜରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ।
ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସିମରନ୍ ନିଜ ସହପାଠିନୀଙ୍କ ସହ କଲେଜ ଯାଉଥିବା ବେଳେ ଭାଗିରଥୀ ଛକ-ସର୍କିଟ୍ ହାଉସ୍ ଭିଆଇପି ରାସ୍ତାରେ ଏକ ଦ୍ରୁତଗାମୀ ବାଇକ୍ OD 03 P 8960 ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଓ ପରେ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସିମରନ୍‌ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ସୋମବାର କଲେଜ ପରିସରରେ ଶୋକାକୁଳ ପରିବେଶ ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଗେଟ୍ ସମ୍ମୁଖରେ ରାସ୍ତାରୋକୋ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା -
୧-ଭିଆଇପି ରାସ୍ତାରେ ତୁରନ୍ତ ସ୍ପିଡ୍ ବ୍ରେକର ବ୍ୟବସ୍ଥା।
୨- କଲେଜ ସମ୍ମୁଖରେ ସିସିଟିଭି କ୍ୟାମେରା ସ୍ଥାପନ।
୩- ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ।
୪-ଦୁର୍ଘଟଣା ଘଟାଇଥିବା ଚାଳକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ।
ଟାଉନ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଜବତ କରିବା ସହ ବାଇକି ଚାଳକ ବଲାଙ୍ଗୀର ଶାସ୍ତ୍ରୀନଗରର ସୁବ୍ରତ ପାତ୍ରଙ୍କୁ ଗିରଫ କରିଛି। ଅତିରିକ୍ତ ତହସିଲଦାର ଓ ଟାଉନ ଥାନା ଆଇଆଇସି ଅବନୀ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଅପରାହ୍ଣରେ ସିମରନ୍‌ଙ୍କ ପାର୍ଥିବ ଶରୀର କ୍ୟାମ୍ପସକୁ ଅଣାଯିବା ପରେ କଲେଜ ଅଧ୍ୟକ୍ଷ ଡା. ମନୋଜ କୁମାର ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ, ଷ୍ଟାଫ୍ ଓ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ସାରି ମୃତଦେହକୁ କୋରାପୁଟ ପଠାଇ ଦିଆଯାଇଛି।

26
77 views

Comment