ସାତକୋଶିଆ ଗଣ୍ଡରୁ ୧ ଟନ୍ ଆବର୍ଜନା ସଂଗ୍ରହ”
“ପୁନଃଚକ୍ରଣ ପାଇଁ ଜମା ଦିଆଗଲା ୧ ଟନ୍ ଆବର୍ଜନା”
“ମାଆ ବିନିକେୟୀ ପୀଠ ହେବ ପ୍ଲାଷ୍ଟିକମୁକ୍ତ ପର୍ଯ୍ଯଟନ ସ୍ଥଳୀ”
ଅନୁଗୋଳ (କରୁଣାକର ନାୟକ )5/4
ସାତକୋଶିଆ ଗଣ୍ଡ ସ୍ଥିତ ମାଆ ବିନିକେୟୀଂକ ପୀଠକୁ ଏକ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ପର୍ଯ୍ଯଟନ ସ୍ଥଳୀ ରୂପେ ପରିଣତ କରିବାକୁ ଜନ ଜାଗରଣ ସୃଷ୍ଟି ହୋଇଛି । ଗତ ବିଶ୍ବ ଜଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଧିରେ ଧିରେ ବ୍ଯାପକ ହେବାକୁ ଲାଗିଛି । ଅନୁଗୋଳର ପରବେଶଧର୍ମୀ ଅନୁଷ୍ଠାନ “ସାଥୀ ପରିବାର” ଓ ସମାଧାନ ଶିକ୍ଷାନୁଷ୍ଠାନ ନେତୃତ୍ବରେ ଆଜି ଏକ ସାମୂହିକ ଏକଦିବସୀୟ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା । ଆଠମଲ୍ଲିକ ଏବଂ ଟିକରପଡା ବନାଂଚଳର କର୍ମକର୍ତ୍ତା, ସ୍ଥାନୀୟ କରଡାସିଂହ ଗ୍ରାମର ସିଦ୍ଧି ବିନାୟକ କ୍ଲବ, ଜାମୁଡୋଲି ପଂଚାୟତର ବଜରଂଗବାଲୀ କ୍ଲବ, ଅନୁଗୋଳର ଆର୍ଯ୍ଯଭଟ୍ଟ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନ ଏଫ.ଇ.ଏସ୍ ର ସଦସ୍ଯସଦସ୍ଯାଂକ ମିଳିତ ସହଯୋଗରେ ମହାନଦୀ ଗର୍ଭ, ନଦୀ କୂଳ, ବିନିକେୟୀ ପୀଠ ଚତୁଃପାର୍ଶ୍ବ ଏବଂ ବଣଭୋଜି ଅଂଚଳକୁ ସାମୂହିକ ଭାବେ ସଫେଇ କରାଯାଇଥିଲା । ସକାଳ ୭ ଟାରୁ ସକାଳ ୧୦ ପର୍ଯ୍ଯନ୍ତ ସଫେଇରୁ ୧ ଟନ୍ ରୁ ଅଧିକ ଏକକ ବ୍ଯବହୃତ ପ୍ଲାଷ୍ଟିକ ଓ କାଚ ବୋତଲ ଆବର୍ଜନା ସଂଗ୍ରହ କରାଯାଇ ପୁନଃଚକ୍ରଣ ପାଇଁ ଆଠମଲ୍ଲିକର କବାଡି କେନ୍ଦ୍ରରେ ଜମା କରାଯାଇଥିଲା । କାର୍ଯ୍ଯକ୍ରମ ଶେଷରେ ଆୟୋଜିତ ସଚେତନତା ସଭାରେ ସାଥୀ ପିରବାର ଅନୁଷ୍ଠାନର ମୁଖ୍ଯ ପରାମର୍ଶଦାତା ସୁଶାନ୍ତ ତ୍ରିପାଠୀ, ଆଠମଲ୍ଲିକ ବନାଂଚଳ ଅଧିକାରୀ ସୁନୀଲ କୁମାର ସାହୁ, ଟିକରପଡା ବନାଂଚଳ ଅଧିକାରୀ ସୁମନ୍ତ ମହାକୁଡ ଏବଂ ସମାଧାନ ଶିକ୍ଷାନିକେତନର ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଏତକ ବ୍ଯବହୃତ ପ୍ଲାଷ୍ଟିକର ବହୁଳ ଏବଂ ଅନିୟନ୍ତ୍ରିତ ବ୍ଯବହାର ସାତକୋଶିଆ ଗଣ୍ଡର ଜଳଜ ଜୈବବିବିଧତା ଓ ବନ୍ଯ ଜୈବବିବିଧତାର ଗୁରୁତ୍ବକୁ ନଷ୍ଟ କରୁଥିବା ଯୋଗୁଁ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ବାରୋପ କରିଥିଲେ । ସ୍ଥାନୀୟ ଯୁବଗୋଷ୍ଠୀ ଓ ଗୋଷ୍ଠୀ ସମୂହ ଅଂଶଗ୍ରହଣ ଦ୍ବାରା ବିନିକେୟୀ ପୀଠକୁ ଏକ ପ୍ଲାଷ୍ଟିକମୁକ୍ତ ପର୍ଯ୍ଯଟନ ସ୍ଥଳୀ ରୂପେ ରୂପ ଦିଆଯିବା ନେଇ ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀଂକ ସହଯୋଗ ଓ ଅଂଶଗ୍ରହଣ ଦ୍ବାରା ସାତକୋଶିଆ ଗଣ୍ଡକୁ ପ୍ଲାଷ୍ଟିକମୁକ୍ତ ଓ ଅଧିକ ଲୋକାଭିମୁଖୀ ଓ ସୁଦୃଢ ପର୍ଯ୍ଯଟନ ସ୍ଥଳୀ କରିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରି ଏକ ଜନ ଆନ୍ଦୋଳନ ସୃଷ୍ଟି କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଜନ ଆନ୍ଦୋଳନରେ ସ୍ଥାନୀୟ ବନ ବିଭାଗ ଓ ପ୍ରଶାସନ, ସାତକୋଶିଆ ଗଣ୍ଡ ପାର୍ଶ୍ବବର୍ତ୍ତୀ ଗ୍ରାମର ୟୁଥ୍ କ୍ଲବ, ସ୍ବେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯିବାକୁ ଆଗ୍ରହ ପ୍ରକାଶ ପାଇଥିଲା ।