ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଇଁ ପ୍ରସ୍ତୁତି
ଦାମନଯୋଡ଼ି,୦୯/୦୪: ଉତ୍କଳର ସର୍ବୋଚ୍ଚ ଶ୍ରୀହନୁମାନଙ୍କ ବିଗ୍ରହ ଥିବା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ ଶ୍ରୀଅଭୟ ଆଞ୍ଜେନେୟଙ୍କ ମନ୍ଦିରରେ ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ୪ଦିନ ବ୍ୟାପି ଉତ୍ସବ ପାଳନ ହେବ।ଏ ନେଇ ମନ୍ଦିର କମିଟି ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି।କର୍ମକର୍ତ୍ତାଙ୍କ ସୂଚନା ମୁତାବକ ଆଗାମୀ ୧୧ ତାରିଖ ଶନିବାର ସନ୍ଧ୍ୟାରେ ଶୁଭ ଅଙ୍କୁରାରୋପଣ ହେବ।୧୨ତାରିଖ ରବିବାର ସକାଳେ କଳସାଧିବାସ,ଆଚାର୍ଯ୍ୟ ବରଣ,ଦେବତା ଆବାହନ,ଅଗ୍ନି ସ୍ଥାପନ ଓ ସଂସ୍କାର ସହିତ ଯଜ୍ଞ ଆରମ୍ଭ ହେବ।୧୩ ତାରିଖ ସୋମବାର ସୂର୍ଯ୍ୟପୂଜା,ଧେନୁ ପୂଜା, ଶାଲା ପୂଜା,ଘଟ ମଣ୍ଡଳ ପୂଜା ଆଦି ନୀତି ସହିତ ଚଣ୍ଡୀପାଠ ଓ ଆହୂତି ଏଵଂ ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ରହିଛି। ସେହିପରି ୧୪ତାରିଖ ମଙ୍ଗଳବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀ ସୂର୍ଯ୍ୟ ନାରାୟଣଙ୍କ ପୂଜା ପରେ ଶ୍ରୀଅଭୟ ଆଞ୍ଜେନେୟଙ୍କ ମହାସ୍ନାନ,ବେଶ,ଷୋଡଶ ଉପଚାର ପୂଜା ଓ ଯଜ୍ଞ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଓ ସନ୍ଧ୍ୟା ଆରତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପୁରୀରୁ ସ୍ଵତନ୍ତ୍ର ଘଣ୍ଟୁଆ ଦଳ ଘଣ୍ଟବାଦ୍ୟ କରିବା କାର୍ଯ୍ୟକ୍ରମ ରହିଛି।ନାଲକୋ ଅଧ୍ୟକ୍ଷ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଶ୍ରୀ ହନୁମାନଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।ସନ୍ଧ୍ୟାରେ ନୀଳଶୈଳ ଦଳର ଭଜନ ପରିବେଷଣ ଓ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀଅଭୟ ଆଞ୍ଜେନେୟ ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ସରୋଜ କୁମାର ସ୍ବାଇଁ,ଆଲୋକ ଚୌଧୁରୀ ଓ ଶ୍ୟାମସୁନ୍ଦର ପଣ୍ଡା ପ୍ରକାଶ କରିଛନ୍ତି।ହନୁମାନ ବାଟିକା ବାହାରେ ଷ୍ଟଲ୍ ଗୁଡ଼ିକରେ ଭାରତର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ଖାଦ୍ୟ ମେଳା ବ୍ୟବସ୍ଥା ହୋଇଛି।୧୦ ରୁ ୨୬ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ।