logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ଧନୁଯାତ୍ରା ତୋରଣ, ଉଠିଲା ନିମ୍ନମାନର କାମ ଅଭିଯୋଗ

କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ଧନୁଯାତ୍ରା ତୋରଣ,
ଉଠିଲା ନିମ୍ନମାନର କାମ ଅଭିଯୋଗ
ବରଗଡ :-ବରଗଡ଼ରେ ଆଜି ସୋମବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରାୟ ୩ଟା ସମୟରେ ହଠାତ୍ ପ୍ରବଳ ଝଡ଼ବତାସ ସହ ବର୍ଷା ଆରମ୍ଭ ହୋଇଥିଲା। ମାତ୍ର ୧୦ ମିନିଟର ଝଡ଼ରେ ବରଗଡ଼ ଟାଉନ ଥାନା ସମ୍ମୁଖରେ ଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ମାରକୀ ତୋରଣ ଭାଙ୍ଗି ରାସ୍ତା ଉପରେ ପଡ଼ିଗଲା । ଘଟଣାରେ କୌଣସି ଧନଜୀବନ ହାନି ହୋଇନଥିବାବେଳେ ସହରବାସୀ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ତୋରଣ ବରଗଡ଼ ଧନୁଯାତ୍ରାର ଐତିହ୍ୟ ଓ ପରିଚୟର ପ୍ରତୀକ ଭାବେ ନିର୍ମାଣ କରାଯାଇଥିଲା। ନୂତନ ସରକାର ଆସିବା ପରେ ସହର ସୌନ୍ଦର୍ଯ୍ୟକରଣ ନାମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ତୋରଣ ନିର୍ମାଣ କରାଯାଇଥିଲା। କିନ୍ତୁ ମାତ୍ର କିଛି ମିନିଟର ଝଡ଼ରେ ଏପରି ତୋରଣ ଭାଙ୍ଗି ପଡ଼ିବାକୁ ନେଇ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତର ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯେଉଁ ଠିକା ସଂସ୍ଥା ଏହି ତୋରଣ ନିର୍ମାଣ କରିଥିଲା ସେଠାରେ ବଡ଼ ଧରଣର ଅନିୟମିତତା ଓ ହେରଫେର ହୋଇଥାଇପାରେ। ଏହା ପୂର୍ବରୁ ବରପାଲିର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ନିର୍ମିତ ଏକ ତୋରଣ ମଧ୍ୟ ଝଡ଼ରେ ଭାଙ୍ଗି ପଡ଼ିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ନିମ୍ନମାନର କାମ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ତୋରଣଟି ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଯଦି ସେହି ସମୟରେ କୌଣସି ଯାନବାହନ କିମ୍ବା ଲୋକ ତଳେ ଥାନ୍ତେ ତେବେ ବଡ଼ ଧରଣର ଅଘଟଣ ଘଟିଥାନ୍ତା ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି। ସାମାନ୍ୟ ୨ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ଘଟଣା ପରେ ପୋଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଭାଙ୍ଗିଥିବା ତୋରଣକୁ ହଟାଇବା କାମ ଆରମ୍ଭ କରିଥିଲେ। ପରେ ଯାତାୟାତ ସ୍ୱାଭାବିକ କରାଯାଇଥିଲା।
ଏହି ଘଟଣା ପରେ ତୋରଣ ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥ, କାର୍ଯ୍ୟର ଗୁଣବତ୍ତା ଓ ଠିକା ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ତଦନ୍ତ ଦାବି ଜୋର ଧରିଛି। ସାଧାରଣ ଲୋକ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ମଜବୁତ ଓ ଗୁଣବତ୍ତାସମ୍ପନ୍ନ କାମ କରାଯିବାକୁ ଦାବି କରିଛନ୍ତି।

11
365 views

Comment