ଅମିତ୍ ଶାହା ଙ୍କ କହିଥିବା "ବନବାସୀ" ମନ୍ତବ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ।
ମାଲକାନାଗିରି ତା ୩୦/୦୫ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ ଆଦିବାସୀ ନୁହେଁ ବନବାସୀ ବୋଲି କହିଥିବା ଅଭିଯୋଗକୁ ନେଇ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଶହଶହ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇର୍ମା ପଡିଆମି ଓ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରାଯାଇ ଥିଲା। ଏଥିରେ ଜିଲ୍ଲା କିସାନ ସେଲ କଂଗ୍ରେସ ସଭାପତି ଦଶରଥ ଡୁରୁକା, କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଲା ମାଢି, ମାଲକାନଗିରି ଜିଲ୍ଲା ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ମାଲକାନଗିରି ଜିଲ୍ଲା ଏସସି ସେଲ ସଭାପତି ପ୍ରାଣ କୃଷ୍ଣ ମଣ୍ଡଳ,ମାଲକାନଗିରି ପୌର ପରିଷଦ କଂଗ୍ରେସ ସଭାପତି କେଶୁ ରାଓ, ମହିଳା କଂଗ୍ରେସ ସଭାନେତ୍ରୀ ପୁଷ୍ପା ରାଣୀ ପଡିଆମି, ମାଲକାନଗିରି ବ୍ଲକ କଂଗ୍ରେସ ସଭାପତି ଲଛୀମ ଧର କିର୍ଷାନି , ଯୁବ କଂଗ୍ରେସ ନେତା ଇଷାକ ଖୋସଲା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ପଟ୍ଟନାୟକ ଓ ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ବିଜେପି ଓ ସଂଘ ପରିବାର ଯୋଜନାବଦ୍ଧ ଭାବେ ଆଦିବାସୀ ଶବ୍ଦକୁ ହଟାଇ ବନବାସୀ ଶବ୍ଦ ବ୍ୟବହାର କରୁଛନ୍ତି। ଏହା ଆଦିବାସୀଙ୍କ ପରିଚୟ, ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଅସ୍ମିତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ଆଦିବାସୀ ମାନେ ଏହି ମାଟିର ମୂଳ ବାସିନ୍ଦା ପ୍ରଥମ ଅଧିକାରୀ। ତାଙ୍କୁ ବନବାସୀ କହି କେବଳ ଜଙ୍ଗଲରେ ରହୁଥିବା ଲୋକ ଭାବେ ସୀମିତ କରିଦେବା ଏକ ଗଭୀର ଷଡଯନ୍ତ୍ର। ସେଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାୟ ଅଧ ଘଣ୍ଟା ଧରି ଧାରଣା ଦେଇଥିଲେ ମାଲକାନାଗିରି କଂଗ୍ରେସ ର ସମସ୍ତ ସଦସ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ମନ୍ତବ୍ୟ ପାଇଁ ଦେଶର ସମସ୍ତ ଆଦିବାସୀଙ୍କୁ ସାର୍ବଜନୀନ ଭାବେ କ୍ଷମା ମାଗନ୍ତୁ। ଭାରତୀୟ ସମ୍ବିଧାନରେ ଆଦିବାସୀ ଓ ଅନୁସୂଚିତ ଜନଜାତି ଶବ୍ଦ ବ୍ୟବହାର ହୋଇଛି। ସରକାରୀ ନଥିପତ୍ର ପାଠ୍ୟପୁସ୍ତକ ଓ ଯୋଜନାରେ କେବଳ ଆଦିବାସୀ ଶବ୍ଦ ବ୍ୟବହାର ହେଉ।ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ଅଧିକାର ସୁରକ୍ଷିତ ରଖାଯାଉ ବୋଲି ମାଲକାନଗିରି ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇର୍ମା ପଡିଆମି କହିଛନ୍ତି
ଆମେ ବନବାସୀ ନୁହଁ ଆମେ ଏହି ମାଟିର ଆଦିବାସୀ। ଆମ ପୂର୍ବପୁରୁଷ ଏହି ମାଟିକୁ ସୁରକ୍ଷା ଦେଇଛନ୍ତି। ଅମିତ ଶାହାଙ୍କ ଏହି ମନ୍ତବ୍ୟ ସମ୍ବିଧାନ ବିରୋଧୀ ଆଦିବାସୀ ବିରୋଧୀ। ବିଜେପି ଆଦିବାସୀଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ଦେଖେ, ସେମାନଙ୍କ ଅଧିକାର ଛଡାଇ ନେବାକୁ ଚାହେଁ। ଆମେ ଏହାକୁ କଦାପି ବରଦାସ୍ତ କରିବୁ ନାହିଁ। ଯଦି ୭ ଦିନ ଭିତରେ ଶାହା କ୍ଷମା ନ ମାଗନ୍ତି ତେବେ ଆମେ ଆଗାମି ଦିନରେ ମାଲକାନଗିରି ଜିଲ୍ଲାରେ ଚକଅଖ ବନ୍ଦ କରିବୁ । ମାଲକାନଗିରି ଜିଲ୍ଲାରେ ୫୭ ପ୍ରତିଶତ ରୁ ଅଧିକ ଆଦିବାସୀଙ୍କ ଜନସଂଖ୍ୟା। ତେଣୁ ଆଦିବାସୀ ବନାମ ବନବାସୀ ବିବାଦ ଏଠାରେ ରାଜନୈତିକ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ।