logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାରେ ଏଡ୍’ସ ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ସଚେତନ

ଜିଲ୍ଲାରେ ଏଡ୍’ସ ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ସଚେତନତା ହିଁ ଏକମାତ୍ର ମାଧ୍ୟମ-ଜିଲ୍ଲାପାଳ । ଗଞ୍ଜାମ (ଶ୍ରୀରାମ ସ୍ୱାଇଁ ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଂଜାମ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ଏଡ୍’ସ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଭ୍ରାମ୍ୟମାଣ ସଚେତନତା ରଥର ଉଦ୍ ଘାଟନ କରିଥିଲେ । ଚଳିତ ବର୍ଷର ଆଲୋଚନାର ଶୀର୍ଷକ – ଅସମାନତା ସମାପ୍ତ କରି, ଏଡସ ସମାପ୍ତ କରି, ମହାମାରୀଙ୍କୁ ଶେଷ କରିବା, ବିଷୟରେ ବକ୍ତାଗଣ ଯୁବଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ଉମାଶଙ୍କର ମିଶ୍ର ମା ମାନଙ୍କର ସିଫିଲିସି ପରୀକ୍ଷା ନିମନ୍ତେ ମତପ୍ରକାଶ କରିଥିଲେ । ଏଚ. ଆଇ. ଭି ଏଡସର ନିରାକରଣ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟିନିମନ୍ତେ ଡିସେମ୍ବର ପହିଲାକୁ ବିଶ୍ୱ ଏଡସ ଦିବସ ରୂପେ ସାରା ବିଶ୍ୱରେ ୧୯୮୮ ମସିହାରୁ ପାଳନ କରାଯାଇ ଆସୁଅଛି । ଜିଲ୍ଲା ଏଡସ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଗଂଜାମ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଉଅଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୁବଗୋଷ୍ଠୀ ସଚେତନତା ଉଦେଶ୍ୟରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନ ମୂଳକ ପ୍ରତିଯୋଗିତା ଗତ ଅଗଷ୍ଟ ୧୨ ତାରିଖ ରୁ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ସଭା ମଧ୍ୟ ଆରମ୍ଭ କରାଯାଉଛି । ଜିଲ୍ଲାପାଳ ଶ୍ରୀ କୁଳାଙ୍ଗେ ବିବାହ ପୂର୍ବରୁ ଏଚ. ଆଇ. ଭି ପରୀକ୍ଷା କରିବା ଓ ପ୍ରବାସୀ ନିଜ ଜିଲ୍ଲାକୁ ଆସିବା ପରେ ଏଚ. ଆଇ.ଭି ପରୀକ୍ଷା କରାଇବା ଦିଗରେ ଯୁବଗାଷ୍ଠୀ ମାନଙ୍କ ସହଯୋଗ ଲୋଡ଼ିଥିଲେ । ବିଗତ ବର୍ଷ ମାନଙ୍କ ତୁଳନାରେ ଜନ ସାଧାରଣ ଏଚ. ଆଇ. ଭି ପରୀକ୍ଷା ଓ ପରାମର୍ଶ ନେବା ପାଇଁ ଆଗ୍ରହ ସୃଷ୍ଟି ହେଉଥିବାର ପରିଲିକ୍ଷିତ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର ‘ଗର୍ଭବତି ମହିଳା’ କିପରି ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ । ଏଚ. ଆଇ. ଭି ସଂକ୍ରମିତ ମା ଠାରୁ ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବେଳେ ଓ ସ୍ତନ୍ୟପାନ ସମୟରେ ସଂକ୍ରମଣର ଆଶଙ୍କା ରହିଥାଏ ତେଣୁ ପ୍ରତେକ ଗର୍ଭବତୀ ମା ମାନଙ୍କର ଗର୍ଭ ଧାରଣର ତିନି ମାସ ମଧ୍ୟରେ ଏଚ. ଆଇ. ଭି ଓ ସିଫିଲିସ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ । ରକ୍ତ ପରୀକ୍ଷାରେ ଯେତେଶୀଘ୍ର ଏଚ. ଆଇ.ଭି ଭୁତାଣୁ ର ଉପସ୍ଥିତି ଜଣାପଡିବ ସେତେ ଶୀଘ୍ର ମା ଓ ଶିଶୁକୁ ସୁରକ୍ଷା ଦିଆ ଯାଇପାରିବ । ଏଚ. ଆଇ. ଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁଙ୍କୁ ଏଚ. ଆଇ. ଭି ଅସୁରକ୍ଷିତ ଶିଶୁ ରୂପେ ଗଣାଯାଏ । ଶିଶୁଟି ଏଚ. ଆଇ. ଭି ଆକ୍ରାନ୍ତ କି ନୁହେଁ ଜାଣିବା ନିମନ୍ତେ ଶିଶୁ ପାଇଁ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ପରୀକ୍ଷା ଗୁଡିକ ଆବଶ୍ୟକ । ପି ପି ଟି ସି ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏଚ. ଆଇ. ଭି ସଂକ୍ରମିତ ମା ଠାରୁ ଶିଶୁକୁ ସଂକ୍ରମଣରୁ କିପରି ସମ୍ପୂର୍ଣ ମୁକ୍ତ କରାଯାଇ ପାରିବ ତାର ବ୍ୟବସ୍ଥା କରାଯାଉଅଛି । ଏଥି ନିମନ୍ତେ ସମସ୍ତ ଗର୍ଭବତୀ ମହିଳା ନିକଟସ୍ଥ ମମତା ଦିବସରେ ଓ ସରକାରୀ ଡାକ୍ତରଖାନାରେ ମାଗଣାରେ ପରାମର୍ଶ ଓ ପରିକ୍ଷାର ବ୍ୟବସ୍ଥା କରାଯାଇଛି । ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜଗଦୀଶ ପଟ୍ଟନାୟକ ୟୁ ଏନ ଏଡସର ଲକ୍ଷ୍ୟ ୯୫-୯୫-୯୫ ଟାର୍ଗେଟ ନାମରେ ନାମିତ କରାଯାଉଛି ବୋଲି ମତ ଦେଇଥିଲେ । ୧ମ ୯୫ ଯାହାର ଅର୍ଥ ହେଉଛି ୯୫ ପ୍ରତିଶତ ଏଚ. ଆଇ. ଭି ଓ ସିଫିଲିସ ସଂକ୍ରମଣରେ ଜଡିତ ଗର୍ଭବତୀ ମାନଙ୍କର ଚିହ୍ନଟ କରାଇବା , ୨ୟ ୯୫:- ଯାହାର ଅର୍ଥ ହେଉଛି ୯୫ ପ୍ରତିଶତ ଏଚ. ଆଇ. ଭି ଓ ସିଫିଲିସ ସଂକ୍ରମଣରେ ଗର୍ଭବତୀମାନଙ୍କର ଏଚ. ଆଇ. ଭି ଔଷଧ ସୁନିଶ୍ଚିତ କରାଇବା, ୩ୟ ୯୫:- ଯାହାର ଅର୍ଥ ହେଉଛି ୯୫ ପ୍ରତିଶତ ଏ ଆର ଟି ସେବନ କରୁଥିବା ମାଙ୍କ ଏଚ.ଆଇ.ଭି ଭୁତାଣୁର ସଂଖ୍ୟା ହ୍ରାସ କରାଇବା ଯାହାକି ନିୟମିତ ଏ ଆର ଟି ଔଷଧ ସେବନ ଦ୍ୱାରା ହୋଇପାରିବ । ଏ ଆର ଟି ନେଉଥିବା ସଂକ୍ରମିତ ଗର୍ଭବତୀ ମହିଳା ଏଚ. ଆଇ. ଭି ଚିହ୍ନଟ ହେବାପରେ ତୁରନ୍ତ ଔଷଧ ସେବନ ଆରମ୍ଭ କରିବେ, ଏହି ଔଷଧ ସମସ୍ତ ଏ. ଆର. ଟି/ ଲିଙ୍କ ଏ. ଆର. ଟି ଓ ଆଇ.ସି.ଟି.ସି କେନ୍ଦ୍ରରେ ଟି.ଏଲ.ଡି ବଟିକା ନାମରେ ପରିଚିତ ଓ ସମ୍ପୁର୍ଣ ମାଗଣାରେ ଉପଲବ୍ଧ ଅଟେ । ଏହି ଔଷଧ ରାତିରେ ଖାଇବାର ଏକ ଘଣ୍ଟା ପରେ ଖାଇବାକୁ ହେବ , ଏହି ଔଷଧ ପ୍ରସବର ଛ ମାସ ପୂର୍ବରୁ ଯଦି ଗର୍ଭବତୀ ମା ସେବନ କରିବା ଆରମ୍ଭ କରିଦେଇଥାଏ, ତେବେ ଶିଶୁକୁ ସଂକ୍ରମଣର ର ଆଶଙ୍କା ଖୁବ୍ କମ ଥାଏ, ଏଣୁ ଆପଣମାନେ ଗର୍ଭବତୀ ମହିଳା ମାନଙ୍କୁ ଗର୍ଭର ୩ ମାସ ମଧ୍ୟରେ ଏଚ. ଆଇ. ଭି ଓ ସିଫିଲିସ ପରୀକ୍ଷା କରିବାକୁ ପରାମର୍ଶ ଦେବେ । ଡାକ୍ତର ଅବନୀ କୁମାର ପାତ୍ର ଏଚ. ଆଇ. ଭି ଓ ଟିବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏଚ. ଆଇ. ଭି ଥିଲେ ଟି ବି ହେବାର ୬୦% ଅଧିକ ସମ୍ଭାବନା ଥାଏ, ଏଣୁ ପ୍ରତ୍ୟକ ଏଚ. ଆଇ.ଭି ବ୍ୟକ୍ତିମାନଙ୍କ ଯକ୍ଷ୍ମା ପରୀକ୍ଷ| କରାଇବା ଓ ପ୍ରତ୍ୟକ ଯକ୍ଷ୍ମା ରୋଗୀ ମାଙ୍କ ଏଚ.ଆଇ.ଭି ପରୀକ୍ଷା କରାଯାଉଛି । ଏଚ. ଆଇ. ଭି ଓ ଯକ୍ଷ୍ମା ସମ୍ୱନ୍ଧରେ ଆମ୍ଭେମାନେ ଜାଣିଲେ ଯାଇ ଏହାକୁ ଜିତିପାରିବା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏଡ଼ସ ସେଲ ଏଚ.ଆଇ.ଭି ହେମନ୍ତ କୁମାର ଦାଶ, ଏଡ଼ସରେ ଚାଲିଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରି,ଏଚ.ଆଇ.ଭି ର ପାରଦ ବହୁମାତ୍ରାରେ ନିମ୍ନଗାମୀ ହେଉଛି ବୋଲି ସେ କହିଥିଲେ । କୋଭିଡ -୧୯ ଭୟାବହତା ସମୟରେ ଏଡ଼ସ ସେଲ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କାର୍ଯ୍ୟ ଯଥା ରୋଗୀ ମାନଙ୍କର ଘରକୁ ଘର ବୁଲି ଔଷଧ ବାଣ୍ଟିବା ଓ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ । ଲକଡାଉନ ସମୟରେ ଗର୍ଭବତୀ ମାନେ ଏଚ.ଆଇ.ଭି ସଂକ୍ରମିତ ଚିହ୍ନଟ ହେଲେ, ସେମାଙ୍କୁ ଏ.ଆର.ଟି ସେଣ୍ଟର ପ୍ରେରଣ ନ କରି ବ୍ଲକ ସ୍ତରରେ ପରୀକ୍ଷା କରାଇ ଔଷଧର ବ୍ୟବସ୍ଥା କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଗାଇଡ୍.ଲାଇନ ହୋଇଯାଇଛି । ସେ କହିଥିଲେ ଯେ ଏଚ.ଆଇ.ଭି ଏକ ଡିଆଁ ରୋଗ ନୁହେଁ, ଏଚ.ଆଇ.ଭି ବ୍ୟକ୍ତି ସହିତ ସାଧାରଣ ସ୍ପର୍ଶ, କରମର୍ଦନ ଦ୍ୱାରା, ଆଲିଙ୍ଗନ କରିବା ଦ୍ୱାରା, ଏକତ୍ର ଖାଇବା ସମୟରେ, ନିଶ୍ୱାସ ପ୍ରଶ୍ୱାସରେ, ମଶା କାମୁଡିବା ଦ୍ୱାରା ଏଚ.ଆଇ.ଭି ବ୍ୟାପିନଥାଏ, ଏଣୁ ଏଚ.ଆଇ.ଭି ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଘୃଣା ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆଜିର ଏହି କର୍ମଶାଳାରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରକଳ୍ପ ଅଧିକାରୀ ଏନ.ଏଚ.ଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଡା. ବିପିନ ବିହାରୀ ପାଣିଗ୍ରାହୀ, ଟିବି ବିଭାଗ ଅଧିକାରୀ ବିଦେଶୀ ଜେନା, ସୁଧୀର କାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ସେମାଙ୍କର ମତାମତ ରଖିଥିଲେ । ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଟିବି ଓ ଏଚ.ଆଇ.ଭି ପାଇଁ ଉତ୍ତମ କାର୍ଯ୍ୟ କରିଥିବା ବିଦେଶୀ ଜେନାଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ।

155
15005 views
2 shares

Comment